ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସାମାନ୍ୟ ସୂଚନା ପାଇ ରାତ୍ରଜଗୁଆଳୀ ଦାୟିତ୍ୱରେ ଥିବା ଜଗ୍ କବାଟ ଖୋଲି ଧସେଇ ପଶିଆସିଲା । ସତେ ଯେମିତି ମିଃ. ଆଲାଷ୍ଟର୍ଙ୍କ ଅନୁପସ୍ଥିତଜନିତ ଶୂନ୍ୟସ୍ଥାନ ପୂରଣ କରିବ । ସେ ଜାଣିନଥିଲା ଯେ ଏଠି ଏତେ ଗୁଡ଼ାଏ ଲୋକ ଥିବେ, ତେଣୁ ସେ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଗଲା । କ୍ୟାପ୍ଟେନ୍ ବି ଜାଣିଥିଲେ, ଯେ ଜଗ୍ ତା’ର ଡ୍ୟୁଟି କରୁଥିବା ଯୋଗୁଁ ଆଜି ସନ୍ଧ୍ୟାରେ ଦିଆଯାଇଥିବା ଆଲାର୍ମ ସଚୋ୍ୱ ମିଟିଂକୁ ଆସିପାରିନଥିଲା । ଜରୁରୀକାଳୀନ ଏଇ ମିଟିଂରେ ସମସ୍ତଙ୍କୁ ଦେଖି ଜଗ୍ ଧୀରେ ଧୀରେ କହିଲା, “ମୋ’ର କ’ଣ ଭୁଲ ହୋଇଗଲା?
ତାକୁ ସେଇଠି ଅଟକେଇଦେଇ ମିଃ. କ୍ରୀଷ୍ଣମୁର୍ତ୍ତି କହିଲେ, “ଭିତରକୁ ଆସିବା ପୂର୍ବରୁ କବାଟ ଠକ୍ଠକ୍ କରି ଆସିବାଟା ହେଉଛି ଭଦ୍ରାମୀ । ଆଉ ତମେ ସେୟା ନକରିବାଟା ହେଉଛି ତମର ଭୁଲ୍” । ଏତକ ଶୁଣି ଜଗ୍ ଟିକେ ଅପ୍ରସ୍ତୁତ ହୋଇଗଲା । ଭିତରେ ଭିତରେ ଦୀର୍ଘଶ୍ୱାସ ନେଇ ଧୀର ଅଥଚ କ୍ଲାନ୍ତ ସ୍ୱରରେ କ୍ୟାପ୍ଟେନ୍ କହିଲେ, “କ’ଣ ହେଲା ଜଗ୍! କିଛି ଜରୁରୀ କାମ ଥିଲା କି? ଯଦି ସେମିତି କିଛି ଜରୁରୀ ନାହିଁ, ତେବେ, ପରେ ମୋ’ ଅଫିସ୍ରେ କଥା ହେବା । ଏବେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଆମେ ବ୍ୟସ୍ତ ଅଛୁ ।”
ଟିକେ ଘାବରେଇ ଯାଇ, ମୁଣ୍ଡ ହଲେଇ ଜଗ୍ କହିଲା, “ନାଇଁ ଯେ ସାର୍ । ଗୋଟିଏ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଶାଳ ବରଫ ପାହାଡ଼ଟିଏ ବର୍ତ୍ତମାନ ଦେଖିବାକୁ ମିଳୁଛି । ତୁରନ୍ତ ଜାହାଜର ଦିଗ ବଦଳେଇପାରିଲେ, ଆମେ ଆସନ୍ନ ବିପଦରୁ ବର୍ତ୍ତୀ ଯାଇପାରିବା ।”
ଏତକ ଶୁଣିବା ପରେ କ୍ୟାପ୍ଟେନଙ୍କୁ ଲାଗିଲା ଜଗ୍ ଯେମିତି ତାଙ୍କୁ ଚାପୁଡ଼ାଏ ପକାଇଛି । ଅନେକ ଦୀର୍ଘଶ୍ୱାସ ଓ ଚିତ୍କାର ଭିତରୁ “ହେ ଭଗବାନ୍!” ବୋଲି ଆତୁର ପ୍ରାର୍ଥନା ଶୁଣାଗଲା । ଏସବୁ ଦେଖି ଜଗ୍ ଆଶ୍ଚର୍ଯ୍ୟ ହୋଇ କହିଲା, “ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଆଲାର୍ମ ବେଲ୍ ତ ବଜାସାରିଛି ।
Comments are closed.