ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ବେକାରିଆ କଥା ସବୁ…”, ରାଗ ତମତମ ହୋଇ ସିଡ଼୍ ନିଜକୁ ନିଜେ କହୁଥାଏ, “ଏକେ ତ ଏଠି ବୀରା ଯିଏ ତା’ ଭଉଣୀକୁ ହରେଇ ସାରିଛି । ଆଉ, ବୋଧହୁଏ, ତା’ ବାପାମା’ଙ୍କୁ ବି… ଅଥଚ ସେ ନିଜେ କେବଳ ନିଜ ସମସ୍ୟା କଥା ଭାବିଚାଲିଛି!
ରୋହାନ୍ ବୋଧହୁଏ, ପୃଥିବୀରେ ସବୁଠାରୁ ଭଲ ଭାଇ । ଏବଂ ତା’ ଡାଡ଼୍ ଓ ମମ୍ – ଏ ଦୁଇଭାଇଙ୍କର
ମଙ୍ଗଳ ସକାଶେ ନିଜର ସବୁକିଛି ତ୍ୟାଗ କରିଦେଇଛନ୍ତି । ସେଥିପାଇ ସେ ନିଜେ, ସେମାନଙ୍କ ପାଖରେ କୃତଜ୍ଞ ରହିବା କଥା । ଏବେ ଖୁବ୍ ଶୀଘ୍ର ସେମାନଙ୍କ ସମସ୍ୟାର ଅନ୍ତ ହେବାକୁ ଯାଉଛି । ସେମାନେ ପୁଣିଥରେ ତାଙ୍କ ମମ୍ ଡାଡ଼୍ଙ୍କ ପାଖକୁ ଫେରିଆସୁଛନ୍ତି । ୟା ପରଠାରୁ ସବୁକିଛି ସୁଖମୟ… ଏକ ସୁଖଦ ପରିସମାପ୍ତି…” ବ୍ୟାକୁଳ ହୋଇ ସିଡ଼୍ ଚିନ୍ତା କରୁଥାଏ । କିନ୍ତୁ ହଠାତ୍ ତା’ ମନଟା ଖରାପ ହେଇଗଲା । ବୀରା ଜୀବନରେ ଏତେ ଭୟଙ୍କର ସମସ୍ୟା ଥିଲାବେଳେ, ସିଡ଼୍ ଏତେ ମୂଲ୍ୟହୀନ କଥାକୁ ନେଇ ଘାରି ହେଉଛି! ସେ ନିଜେ କ’ଣ ଏତେ ସ୍ୱାର୍ଥପର? ଆତ୍ମକୈନ୍ଦ୍ରିକ…? ହଁ ବୋଧହୁଏ ଉଭୟ । ସିଡ଼୍ ଏମିତିସବୁ ଭାବୁଥିଲା ବେଳେ ଜଣେ ପୃଥୁଳକାୟ ମହିଳା, ସିଡ଼୍କୁ ଆଡ଼େଇଯାଇ ବାଟ ଛାଡ଼ିବାକୁ କହିଲେ । ନିଜ ମୋହଗ୍ରସ୍ତ
ଅବସ୍ଥାରୁ ଫେରିଆସି, ସିଡ଼୍ ତରତରରେ ବୀରା ପାଇଁ ଫର୍ମ ସଂଗ୍ରହ କରି ‘ଇନ୍କ୍ୱାରି ଡେସ୍କ୍’ ପାଖରୁ ହଟିଆସିଲା ଓ ଲାଉଂଜ୍ରେ ଛିଡ଼ା ହୋଇ ବୀରା ପାଇଁ ଫର୍ମଟି ପୂରଣ କଲା ।
କିଛି ସମୟ ପରେ ସିଡ଼୍ ପାଖରେ ବସୁ ବସୁ ରୋହାନ୍ କହିଲା, “ଏଥର ଗୋଟେ ପରିପକ୍ୱ ମଣିଷ ଭଳି କାମଟି କଲୁ ।” ବୀରା ଆଖପାଖରେ କେଉଁଠି ବି ନଜର ଆସୁନଥାଏ ।
“ହଁ ମୁଁ ଜାଣେ ପ୍ରକୃତରେ ମୁଁ ସେମିତି କିଛି ଭାବି କି କହି ନଥିଲି । ନଚେତ୍ ମୁଁ ଯାହା କହିଲି, ସେସବୁ ମୁଁ ଆଦୌ କହି ନଥା’ନ୍ତି । ମୁଁ ତଥାପି ବିଶ୍ୱାସ କରିପାରୁନି ଯେ ସମୀରା ଏବେ…” ସିଡ଼୍ ତା’ ବାକ୍ୟଟି ପୁରା କରିପାରିଲା ନାହିଁ । ‘ମୃତ’ ଶବ୍ଦଟିକୁ ସେ ସମୀରା ପାଇଁ ବ୍ୟବହାର କରିପାରୁ ନଥିଲା । ସମୀରାକୁ, ମଜାଳିଆ, ସୁନ୍ଦର, ଯତ୍ନଶୀଳ, ନିରୀହ ଏମିତି ଅନେକ ଅସଂଖ୍ୟ ବିଶେଷଣ ଜରିଆରେ ବର୍ଣ୍ଣନା କରାଯାଇପାରେ ସିନା, ‘ମୃତ’ ଶବ୍ଦଟି ତା’ ପାଇଁ କେବେ ବି ବ୍ୟବହାର କରିହେବନି । ସେ ଖୁବ୍ ପ୍ରାଣବନ୍ତ ଥିଲା, ଆଉ ଏମିତି ପ୍ରାଣବନ୍ତ ଲୋକମାନେ କେବେ ବି ମରିପାରନ୍ତି ନାହି । ସିଡ଼୍ର କାନ୍ଧ ଉପରେ ହାତ ରଖି ରୋହାନ୍ ନରମ ସ୍ୱରରେ କହିଲା, “ହଁ, ମୁଁ ଜାଣେ ।”
କ୍ରମଶଃ
Comments are closed.