ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ । ମନକୁ କିଛି ବି ପ୍ରଶ୍ନ ଏବେ ଆସୁ ନ ଥାଏ । ରୋହାନ୍ ଓ ସିଡ଼୍ ଏଇଟିକୁ କେତେବେଳେ ପାଇଲେ? ସେମାନେ ତାକୁ ଏ ବିଷୟରେ କହିଲେନି କାହିଁକି? ସେମାନେ କ’ଣ ୟାକୁ ପଢ଼ିସାରିଛନ୍ତି! ମୁଣ୍ଡକୁ କିଛି ବି ଢୁକୁ ନଥାଏ ବୀରାର ।
ମୁହୂର୍ତ୍ତେ ଡେରି ନକରି ଲଫାପା ଭିତରୁ କାଗଜ ଖଣ୍ଡକ ଟାଣି ଆଣିଲା । ଲଫାପାଟି ମୁନ୍ଦା ହୋଇ ନଥିଲା । ତା’ମାନେ ଚିଠିଟି ପଢ଼ା ହୋଇସାରିଥିଲା ନିଶ୍ଚୟ । ସେ ନିଜେ ପଢ଼ିବା ପୂର୍ବରୁ ଆଖିବନ୍ଦ କରି ଗଭୀର ପ୍ରଶ୍ୱାସଟିଏ ନେଲା ।
ଚିଠିଟି ଏମିତି ଥିଲା :
ଶ୍ରଦ୍ଧେୟା ମିସ୍ ମାହେଶ୍ୱରୀ ଏଇ କିଛିଦିନ ଆଗରୁ ‘ରୟାଲ୍ ୟୁରେକା’ ଜାହାଜଟି ବୁଡ଼ି ଯିବା ଯୋଗୁଁ ଅନେକ ପ୍ରାଣହାନି ହୋଇଥିବା କଥା ଆପଣ ଜାଣନ୍ତି । ମୃତକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ଶବ ଉଦ୍ଧାର ନିମନ୍ତେ ଦକ୍ଷ ବୁଡ଼ାଳୀମାନଙ୍କୁ ନିୟୋଜିତ କରାଯାଇଥିଲା । ଏ ଚିହ୍ନଟ ପ୍ରକ୍ରିୟାର ଫଳାଫଳ ଏବେ ଆମର ହସ୍ତଗତ ହୋଇଛି । ଆମ ରିପୋର୍ଟ ଅନୁସାରେ ମିସେସ୍ ଅକ୍ଷରା ମାହେଶ୍ୱରୀ, ବୟସ ୩୮, କୌଣସି ପ୍ରକାରେ ଗୋଟେ ଲାଇଫ୍ ବୋଟ୍ରେ ଚଢ଼ିବାକୁ ସମର୍ଥ ହୋଇଥିଲେ । ତେବେ କୌଣସି ଅଜ୍ଞାତ ପରିସ୍ଥିତିରେ ମିସେସ୍ ମାହେଶ୍ୱରୀ କିମ୍ବା ସେ ଲାଇଫ୍ବୋଟ୍ରେ ତାଙ୍କ ସହ ଥିବା ଅନ୍ୟ ଛବିଶ ଜଣ ଯାତ୍ରୀ ତାଙ୍କ ଉଦ୍ଦିଷ୍ଟ ଜାହାଜରେ ପହଞ୍ଚି ପାରିଲେନି । ତାଙ୍କ ଶବ ଆମର ହସ୍ତଗତ ହୋଇଛି ଯଦିଓ ତାଙ୍କୁ ଠିକ୍ ଭାବରେ ଚିହ୍ନି ହେଉନି । କୌଣସି ବି ଲାଇଫ୍ବୋଟ୍ରେ ଚଢ଼ିବାକୁ ସକ୍ଷମ ନହୋଇ ପାରି ମିଃ. ଅନନ୍ତ
ମାହେଶ୍ୱରୀ, ବୟସ ୩୯, ଜାହାଜ ସାଙ୍ଗରେ ହିଁ ଡୁବିଗଲେ । ତାଙ୍କ ଶବର କୌଣସି ସନ୍ଧାନ ମିଳିପାରିଲାନି । ମିସେସ୍ ମାହେଶ୍ୱରୀଙ୍କ ଶବ ସମ୍ପର୍କିତ ବିଷଦ ସୂଚନା ଆପଣଙ୍କୁ ଖୁବ୍ ଶୀଘ୍ର ଜଣାଇ ଦିଆଯିବ । ଆପଣ ଇଚ୍ଛା କଲେ ନିମ୍ନରେ ଦିଆଯାଇଥିବା ଟେଲିଫୋନ୍ ନଂ, କିମ୍ବା ଇ-ମେଲ୍ ଜରିଆରେ ଆମକୁ ଯୋଗାଯୋଗ
କରିପାରିବେ ।
ଆପଣଙ୍କ ଏ କ୍ଷତି ପାଇଁ ଆମର ଗଭୀର ସମବେଦନା ସହ, ମୃତବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି କାମନା କରୁଛୁ ।
ରୟାଲ୍ ୟୁରେକା ଜାହାଜର କର୍ମଚାରୀ ବୃନ୍ଦ
କ୍ରମଶଃ
Comments are closed.