ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମାତ୍ର ଏଇ ଛଅ ସପ୍ତାହ ହେଲା ତୁମକୁ ଜାଣିଥିଲେ ବି ଲାଗୁଛି ତମକୁ ଯେମିତି ଆମେ ଅନେକ ବର୍ଷ ତଳୁ ଜାଣୁ । ତେଣୁ ମୋ’ର କହିବାର କଥା ହେଲା, ଯେ ତମେ ଯେବେ ବି ଆମ କାହାର ବି ସାହାଯ୍ୟ ଇଚ୍ଛା କର, ଆମେ ତମ ପାଖରେ ପହଞ୍ଚିଯିବୁ । ଏ ଭରସା ଆଉ ପ୍ରତିଶ୍ରୁତି ମୁଁ ତମକୁ ଦେଉଛି ।” ମିଃ. ପରିମଲ୍ଙ୍କର ଆବେଗପୂର୍ଣ୍ଣ ଓ ନିଛକ ଶବ୍ଦତକ ଶୁଣି ବୀରାର ଆଖିରେ ଲୁହ ଜକେଇ ଆସିଲା ଏବଂ ଧନ୍ୟବାଦ ଓ କୃତଜ୍ଞତାର ହସଟିଏ ହସି ତାକୁ ଏମିତି ଗୋଟିଏ ସୁନ୍ଦର ପରିବାର ସହ ଯୋଡ଼ି ଦେଇଥିବାରୁ ମିଃ. ପରିମଲ୍ଙ୍କୁ ସେ କେବଳ ନିଃଶବ୍ଦରେ କୃତଜ୍ଞତା ଜଣାଇଲା ।
ତା’ପରେ ବୀରା, ରୋହାନ୍ ଓ ସିଡ଼୍ଙ୍କ ପାଖକୁ ଯିବାମାତ୍ରେ ସିଡ଼୍ କହିଲା, “ଯା’ହେଉ, ଏଇଟା ଖୁସି କଥା ଯେ, ତମେ ଆମ ପାଖାପାଖି ରହୁଛ । ଆମେ ବେଳେବେଳେ ଆସି ତମ ସହ ଦେଖା ହେଇପାରିବୁ ।”
“ନିଜର ଯତ୍ନ ନେଉଥିବ ବୀରା । ତମର ସବୁଦିନ ଆମକୁ ସକାଳୁ ଡାକି ଉଠାଇବାଟାକୁ ଆମେ ଖୁବ୍ ମିସ୍ କରିବୁ ।” ରୋହାନ୍ କହିଲା । କିଛି କହି ନପାରି ବୀରା କେବଳ ମୁଣ୍ଡ ହଲେଇଲା । ଲୁହ ଢୋକି ନେଇ ହାତ ଦି’ଟା ବଢ଼େଇ ସେ ଆଗେଇ ଗଲା । ଏ ଦୁଇଭାଇଯାକ ଆସି ଏକାଠି ହୋଇ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କଲେ ।
କିଛି ସମୟ ପରେ ସେମାନେ ଅଲଗା ହେଲା ବେଳକୁ ବୀରା ଯାହା ସନ୍ଦେହ କରୁଥିଲା, ଠିକ୍ ସେଇୟା ହିଁ ଦେଖିଲା : ସିଡ଼୍ ତା’ର ଆଖି ପୋଛି ଚାଲିଛି, ଆଉ ରୋହାନ୍ ଆଖିରେ ଅସ୍ୱାଭାବିକ ଭାବରେ ଲୁହ ଜମିଯାଇଛି ।
ବାଷ୍ପରୁଦ୍ଧ କଣ୍ଠରେ ବୀରା କହିଲା, “ତୁମ ଦୁଇଜଣଙ୍କୁ ବହୁତ ଧନ୍ୟବାଦ । ମୁଁ ପ୍ରକୃତରେ ଏଇୟା ହିଁ ଆବଶ୍ୟକ କରୁଥିଲି ।” କିନ୍ତୁ ବୀରା କ’ଣ ପାଇଁ ଏତେ ଭାବପ୍ରବଣ ହୋଇପଡ଼ୁଥିଲା କେଜାଣି? ସେ ଏ ପରିମଲ୍ ପରିବାରର ସଦସ୍ୟଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉ ନଥିଲା । ତଥାପି ତାଙ୍କ ଘର ଦୁଆରମୁହଁ ଡେଇଁବା ମାତ୍ରେ ତା’ ଭିତରେ ସୃଷ୍ଟି ହେଉଥିବା ଗୋଟେ ଭୟାତୁର ଅନୁଭବକୁ ସେ ଦୂରେଇ ମଧ୍ୟ ଦେଇ ପାରୁ ନଥିଲା ।
କ୍ରମଶଃ
Comments are closed.