ବ୍ରହ୍ମଗିରି: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ଡଙ୍ଗା ଚିଲିକା ମଝିରେ ଅଟକି ଯାଇଛି। ୪୦ ଜଣ ଯାତ୍ରୀ ଥିବା ଏହି ଡଙ୍ଗା ଦୀର୍ଘ ସମୟ ପର୍ଯ୍ୟନ୍ତ ଫସି ରହିଛି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଏକ ଯାତ୍ରୀବାହୀ ଡଙ୍ଗା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ଏହି ଡଙ୍ଗାରେ ୪୦ ରୁ ଅଧିକ ଯାତ୍ରୀ ଓ ୨୦ଟି ବାଇକ୍ ରଖାଯାଇଥିଲା। ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଣି ମଝିରେ ଅଟକି ରହିଥିଲା।
ଏହି ଡଙ୍ଗାକୁ ଉଦ୍ଧାର ପାଇଁ ଅନ୍ୟ ଦୁଇଟି ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ୟମ କରୁଥିଲେ। ବାରମ୍ବାର ମଝି ଚିଲିକାରେ ଯାତ୍ରୀବାହୀ ଡ଼ଙ୍ଗା ଫସି ରହୁଥିବା ଖବର ସାମନାକୁ ଆସୁଛି। କିନ୍ତୁ ଏ କ୍ଷେତ୍ରରେ ପ୍ରଶାସନ ନିରବ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ଚିଲିକା ହ୍ରଦ ମଧ୍ୟରେ ଥିବା ଏକାଧିକ ସ୍ଥଳ ଭାଗରେ ଛୋଟଛୋଟ ଗାଁ ରହିଛି। ଏହି ଗାଁର ଲୋକେ ଚିଲିକାରୁ ମାଛଧରି ଜୀବିକା ନିର୍ବାହ କରନ୍ତି। ଏମାନେ ବିଭିନ୍ନ କାମ ପାଇଁ ଡଙ୍ଗା ମାଧ୍ୟମରେ ସାତପଡ଼ା ଆସିଥାନ୍ତି। ଏହି ସମୟରେ ବହୁବାର ଏପରି ଅଘଟଣ ଦେଖିବାକୁ ମିଳୁଛି।
Comments are closed.