Latest Odisha News

BREAKING NEWS

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ ଜୀବନଚର୍ଯ୍ୟା ।

ଗାଳ୍ପିକ ଅମରେଶଙ୍କ କୁହନ୍ତି “ସେଦିନ ପରି ରାତିଟିଏ ବୋଧହୁଏ ମୁଁ ଆଉ ଜୀବନରେ କେବେ ଦେଖିବି ନାହିଁ। ଯେଉଁଦିନ ଭୁବନେଶ୍ୱର ସଟଡାଉନ୍ ଥିଲା, ଆଉ ମୁଁ ରାତି ସାଢ଼େ ବାରଟାରେ ଏକ ମୁର୍ଦ୍ଦାର ପରି ଶୋଇଥିବା ରାଜଧାନୀର ରାସ୍ତା ଉପରେ ଗାଡ଼ି ଚଳେଇ ଆସୁଥିଲି। ମୋବାଇଲରେ ଭିଡିଓ ନେଉଥିଲି, ଫଟୋ ଉଠାଉଥିଲି।

ଏଇସବୁ ଦିନ ବୋଧେ ଆଉ ମୋ ଜୀବନରେ କେବେ ଆସିବନି, ଯେବେ ଚାହିଁକି ମଧ୍ୟ କେହି କୁଆଡ଼େ ଯାଇପାରୁ ନଥିବେ, ଦୋକାନ ଖୋଲିପାରୁ ନ ଥିବ, ଘରୁ ବାହାରି ପାରୁ ନ ଥିବେ, କେହି କାହାକୁ ଛୁଇଁ ପାରୁନଥିବେ । ଜୀବନ ସବୁବେଳେ ଭଲ ଓ ଦଶହରା ତୋରଣ ପରି ସୁସଜ୍ଜିତ ହୋଇ ରହିଥିବ, ଏହା ମଣିଷ ଜାଣିଗଲା ଏବଂ ମୁଁ ମଧ୍ୟ। ଏମିତି ବରଂ ଭଲ ହେଲା, କେବେ ଯଦି ପୁଣି ଖରାପ ସମୟ ଆସେ, ମୁଁ ଆଉ ହାରିଯିବି ନାହିଁ, ମଣିଷ ଆଉ ପରାସ୍ତ ହେବନାହିଁ।’’

ବାସ୍ତବରେ ଶତ୍ରୁମାନେ ହିଁ ଆମକୁ ଜିତିବାର କୌଶଳ ଶିକ୍ଷା ଦିଅନ୍ତି। ଜୀବନରେ ଆମେ ଯାହାକିଛି ଶିଖିଛନ୍ତି, ସେଥିରୁ ବୋଧେ ଅଧିକାଂଶ ଆମେ ଖରାପ ପରିସ୍ଥିତିରୁ ହିଁ ଶିଖିଛନ୍ତି। ପୃଥିବୀର ଅଧିକାଂଶ ଆବିଷ୍କାର ବୀପରୀତ ପରିସ୍ଥିତିରେ ମଣିଷ ବାଧ୍ୟ ହୋଇ କରିଛି। କାରଣ ନିଜର ଉପସ୍ଥିତି ଜାହିର କରିବାକୁ ଓ ବଞ୍ଚି ରହିବାକୁ ମଣିଷ ବେଶୀ ଲଢ଼ିଥାଏ। ତେଣୁ ଅମରେଶଙ୍କ ଭାଷାରେ ଲକଡାଉନ୍ ଖୁବ୍ ଭଲ । କରୋନା ଖରାପ, କିନ୍ତୁ ଭଲ । କିଛିବର୍ଷ ତଳେ ମଣିଷ ଅଂଶୁଘାତରେ ମଲେ, କିନ୍ତୁ ତା ପରେ ସେ ବର୍ଷଠାରୁ ଅଧିକ ଖରା ହେଲା, କିନ୍ତୁ ଆଉ କେହି ମଲେନି । ଆଗକୁ ଆମକୁ କରୋନା ସହ ହିଁ ବଂଚିବାକୁ ପଡ଼ିବ। କରୋନା ଭୂତାଣୁ କୁତ୍ତା ପରି ଆମ ପାଖରେ ଶକ୍ତିହୀନ ହେଇ ବଂଚିରହିବ, ସାଧାରଣ ଥଣ୍ଡାକାଶ ପରି ।

ଅମରେଶ କୁହନ୍ତି “କରୋନା ଯେତେବେଳେ ଆସିଲା, ମୋ ମନ ଭୟ ଓ ଦୁଃଖରେ ଭରି ଯାଇଥିଲା । କିନ୍ତୁ ପରେ ଖୁସି ହେଉଥିଲି ଏଇଥିପାଇଁ ଯେ, ଯାହାହେଉ କିଛିଦିନ ଘରେ ରହିବାର ସୁଯୋଗ ମିଳିବ, ଅଫିସ୍ ବାଏ ବାଏ । କିନ୍ତୁ ହେଲାନି । ସବୁବେଳେ ଯେମିତି, ବୃତ୍ତି ପାଖରେ ପ୍ରବୃତ୍ତି ହାରେ, ଏଥର ବି ସେଇଆ ହେଲା । ସବୁଦିନ ଅଫିସ ଯିବାକୁ ପଡ଼ିଲା, ବରଂ ବେଶୀ ସମୟ ଲାଗି । ବିରକ୍ତିକର କିନ୍ତୁ ଉପାୟଶୂନ୍ୟ ’’

କରୋନା ଅପଡେଟ୍, କରୋନା ବ୍ରେକିଂ, ବିଗ୍ ବ୍ରେକିଂ, ନୂଆ ପଜିଟିଭ୍, ଲକଡାଉନ, ସଟ୍‌ଡାଉନ୍, କ୍ୱାରେଣ୍ଟାଇନ୍, କଣ୍ଟେନମେଣ୍ଟ, ଟ୍ରାଭେଲ୍ ହିଷ୍ଟ୍ରି, ସଙ୍ଗରୋଧ ପରି ନୂଆ ଶବ୍ଦ ସହିତ ପରିଚିତ ହୋଇଥିବା କହନ୍ତି ସେ । ପ୍ରଥମେ ପ୍ରଥମେ ଏହା ତାଙ୍କୁ ମଜା । ଲାଗୁଥିବା ବେଳେ ଏବେ ବିରକ୍ତ ଲାଗିଲାଣି ବୋଲି ସେ କହନ୍ତି ।

ଅମରେଶଙ୍କ ସାତ ବର୍ଷର ପୁଅ ଭାବିଥିଲା ଯାହାହେଉ ଲକ୍ ଡାଉନ ଯୋଗୁଁ ଏଥରର ତ ବାବା ଘରେ ରହିବେ, ମଜ୍ଜା ହେବ । କିନ୍ତୁ ଯେତେବେଳେ ସେ ଅଫିସ୍ ଗଲେ ପୁଅ କହିଲା ‘କହିଦଉନ ତମର ଦେହ ଖରାପ ଅଛି ।‘ କିନ୍ତୁ ପୁଅକୁ ବୁଝାବୁଝି କରି ସେ ଅଫିସ ଗଲେ । ।

ବାସ୍ତବରେ ଏଇ ଲକଡାଉନରେ ଯେଉଁ କେତେକଙ୍କ ପାଇଁ ଅମରେଶ ଓ ତାଙ୍କ ପତ୍ନୀଙ୍କର ବେଶୀ ଚିନ୍ତା ଥିଲା, ସେମାନେ ହେଲେ ପୁଅ ସଚେତନ, ପୋଷା ବିଲେଇ କାଳୁ, ତିନିଟି ଗିନିପିଗ୍ ଗୁନୁ, ମୁନୁ, ସୁନୁ ଏବଂ ପୋଷା କୁକୁର ଡଙ୍ଗ୍ ଓ ଛୋଟୁ । ପ୍ରଥମେ ପ୍ରଥମେ ଏମାନଙ୍କ ପାଇଁ ଦୈନକ ଖାଦ୍ୟ ଯୋଗାଡ଼ରେ ସମସ୍ୟା ଦେଖାଦେଲା । ବିଲେଇ ପାଇଁ ମାଛଗାଲି, ଗିନିପିଗ୍ ମାନଙ୍କ ଲାଗି କୋବିପତ୍ର ଏବଂ କୁକୁରଙ୍କ ପାଇଁ ଖାଦ୍ୟ । ଅବଶ୍ୟ ପରେ ସ୍ଥିତି ସୁଧୁରି ଗଲା।

ଅମରେଶ କହନ୍ତି, ‘ ଲକ୍‌ଡାଉନ ସମୟରେ ପୁଅକୁ ନିୟୋଜିତ କରି ରଖିବାକୁ ଅନେକ ଯୋଜନା କରିବାକୁ ପଡ଼ିଲା। ତା ଅଜା ଆଈଙ୍କୁ ଘରକୁ ଆଣିବାକୁ ପଡ଼ିଲା । ତା ପାଇଁ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ଲାନ କରିବାକୁ ପଡ଼ିଲା। ପମ୍ପ ଚାଲିଯାଇଥିବା ତା ସାଇକେଲରେ ହାୱା ଭରିବା ସମସ୍ୟା ହେଲା । ସେ ମନଦୁଃଖ କଲା । ଆଉ ସବୁବେଳେ ଘିରିଘିରି ହେଇ ବୁଲୁଥିବା ମୋ ପତ୍ନୀଙ୍କ ପାଇଁ ଯଦିଓ କିଛି ସମସ୍ୟା ଆସିଲା, କିନ୍ତୁ ସେ ନିଜେ ଏହାର ଉପାୟ ଖୋଜିନେଲେ ।’

ଏଇ ଲକଡାଉନ୍ ଭିତରେ ଅମରେଶ ଅନେକ କିଛି ପଢ଼ିବାକୁ ଚେଷ୍ଟା କରିଛନ୍ତି । ଗୁଡ଼ାଏ ପତ୍ରପତ୍ରିକା ଓ ପୁରୁଣା ଗ୍ରନ୍ଥାବଳୀ ସବୁ ପଢିଛନ୍ତି । ଏଇ ଭିତରେ କିଛି କିଛି ଗପ ଓ କବିତା ଲେଖିଛି, ଉପନ୍ୟାସକୁ ଆଗେଇ ନେଇଥିବା କହିଛନ୍ତି ।

ଆମ ଦେଶରେ ପ୍ରତି ମାସରେ ଦିନଟିଏ ସଟ୍‌ଡାଉନ୍ ହେବା ଉଚିତ ବୋଲି ନିଜ ଲକ୍‌ଡାଉନ ଅନୁଭୂତିରୁ କହିଛନ୍ତି ଅମରେଶ । ଏହା ଆମ ପରିବେଶ ପାଇଁ ଭଲ । ଏବେ ଗଛମାନେ ଅଧିକ ସବୁଜ ଓ ସମୁଦ୍ରମାନେ ନୀଳ ଦିଶୁଛନ୍ତି । ଆକାଶ ସଫା ରହୁଛି, ଦିଲ୍ଲୀ ପରି ସହରରେ ଲୋକେ ସହଜରେ ନିଃଶ୍ୱାସ ନେଉଛନ୍ତି । ଭଲ ଲାଗୁଛି । ତାଙ୍କ ଚାରିଚକିଆର ଦୈନିକ ଦୌଡ଼ ବି କମି ଯାଇଥିବା ସେ କହିଛନ୍ତି । ସେ ଦିନକୁ ପ୍ରାୟ ପଚାଶ କିଲୋମିଟର ଏପଟସେପଟ ହେଉ ଥିବା ବେଳେ ଏହା ଏବେ ପନ୍ଦର କିଲୋମିଟରକୁ ଖସିଆସିଥିବା ସେ କହିଛନ୍ତି ।

ଅମରେଶ କହନ୍ତି, ‘ଲକଡାଉନରେ ଆମେ ଭଲଭଲ ରୋଷେଇ କରିକି ଖାଇଲୁ । ମୋ ପତ୍ନୀ ଟିକେ ମନୋଈ । ମନ ଥିଲେ ମଟନ, ନହେଲେ ଡାଲମା। ମୁଁ ବି ଟିକେ ଟିକେ ସାହାଯ୍ୟ କଲି । ଫଟୋ ଉଠେଇ ସୋସିଆଲ୍ ମିଡିଆରେ ଛାଡ଼ିକି ସମସ୍ତଙ୍କ ମୁହଁରୁ ଲାଳ ଗଡ଼େଇଲୁ । ମୁଁ କିଛି ଗଛ କାମ ବି କଲି। ଆମ ଛୋଟୁର ଦେହ ଖରାପ ହେଲା, ତା କାମ କଲି।’

ଲକଡାଉନ୍ ମଣିଷକୁ ମଣିଷ ଭିତରେ ଦୂରତା ବଢ଼େଇଛି ସତ, ହେଲେ ମନକୁ ମନ ଯୋଡ଼ିଛି, ଅନ୍ୟକୁ ଖୋଜିବାକୁ ଚେତେଇ ଦେଇଛି, ଖାଲିଟାରେ ହେଉ ବରଂ ଫୋନ୍ କରି ବନ୍ଧୁମାନଙ୍କ ସହ କଥା ହୋଇଛନ୍ତି ସେ । ତେବେ ତାଙ୍କୁ ପ୍ରଥମେ ପ୍ରଥମେ କରୋନାକୁ ନେଇ ଭୟ ଲାଗୁଥିବା କହିଛନ୍ତି । କିନ୍ତୁ ଏବେ ଆଉ ଲାଗୁନି।

ଏ ନେଇ ସେ କହନ୍ତି, ‘ଧୀରେ ଧୀରେ କରୋନା ଏକ ସାଧାରଣ ରୋଗ ପରି ଲାଗିଲାଣି । ଲାଗୁଛି, ମୋ ପାଖକୁ ଆସିଲେ ତା ବେକ ମୋଡ଼ିଦେବି । ୟା ଭିତରେ ମୁଁ ମୋର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଅବଲମ୍ବନ କରୁଛି । ଜୀବନ ଏମିତି କିଛି ମନ୍ଦ ଲାଗୁନି ତ । ବେଳେବେଳେ ଲାଗେ, ଲକଡାଉନ୍ ଏକ ନିଛାଟିଆ ପ୍ରେମ, ଆଦୌ ଆଗୋଉ ନଥିବା କିମ୍ବା ସ୍ଥିର ହୋଇଯାଇଥିବା ଏକ ସଂପର୍କ ।’

Leave A Reply

Your email address will not be published.