Latest Odisha News

BREAKING NEWS

ଲକ୍‌ଡାଉନର ପ୍ରଭାବ: ରାଜରାସ୍ତାରେ ଜଙ୍ଗଲୀ ଜୀବଜନ୍ତୁ !

ଭୁବନେଶ୍ୱର: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର ପୀଡ଼ା ଭୋଗୁଥିବା ବେଳେ ଅଧିକାଂଶ ରାଷ୍ଟ୍ର ପାଳୁଛନ୍ତି ଲକ୍‌ଡାଉନର ନିୟମ । ଲକ୍‌ଡାଉନ୍ ଯୋଗୁ ଏବେ ଅନେକ କଥା ମଣିଷ ଅଙ୍ଗେ ନିଭେଇବା ସହିତ ବହୁତ କଥା ଅନୁଭବ କରିପାରୁଛି । ମଣିଷ ଲଗାତର କେତେ ଦଶନ୍ଧି ଧରି ପ୍ରକୃତି ଉପରେ ଯେମିତି ଅତ୍ୟାଚାର କରିଆସୁଥିଲା ଆଉ ଏବେ ଯେମିତି ଏହି ଅତ୍ୟାଚାରରୁ ପ୍ରକୃତି ମୁକ୍ତ ତାହା ଅନୁଭବ କରିହେଉଛି । ଏବେ ପ୍ରାକୃତିକ ସନ୍ତୁଳନତା ରକ୍ଷା କରିବା ସହିତ ମଣିଷ ସହିତ ତାଳ ଦେଇ ଜୀଇଁ ଚାଲିଥିବା ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ନିଜକୁ ଭାଗ୍ୟବାନ ମନେକରୁଛନ୍ତି ।

ଏବେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ନା, ବଜାର ଘାଟ ନା ରାଜରାସ୍ତା କେଉଁଠି ବି ଗାଡ଼ି ଘୋଡ଼ା ଯାନବାହନର ଗହଳି ଦେଖିବାକୁ ମିଳୁନାହିଁ । କାଁ ଭାଁ ପଣ୍ୟବାହୀ ଟ୍ରକ୍ କିମ୍ବା ଲକ୍‌ଡ଼ାଉନରେ ଡ୍ୟୁଟି କରୁଥିବା ଆମ୍ବୁଲାନ୍ସ କି ପୋଲିସ ଭ୍ୟାନକୁ ଛାଡ଼ିଦେଲେ ସମସ୍ତ ଯାନବାହନ ବନ୍ଦ । ବଡ଼ ବଡ଼ ସହରଠୁ ଆରମ୍ଭ କରି ଗାଁ ଗହଳି ରାସ୍ତାରେ ଶବ୍ଦ ପ୍ରଦୂଷଣ ବନ୍ଦ ହେବା ସହିତ ବାୟୂ ପ୍ରଦୁଷଣ ଏକରକମ ଠପ୍ ହୋଇଯାଇଛି । ଜଙ୍ଗଲ ନିକଟବର୍ତ୍ତୀ ହ୍ରିଂସ ଜନ୍ତୁ ହୁଅନ୍ତୁ କି ଯେକୌଣସି ଜୀବଜନ୍ତୁ ସ୍ୱାଧୀନ ଭାବେ ବୁଲାବୁଲି କରିବାକୁ ପ୍ରଚେଷ୍ଟା କରି ସଫଳ ହେବାରେ ଲାଗିଛନ୍ତି ।

ଯେମିତିକି ଲକ୍‌ଡ଼ାଉନ୍ ପରେ ପରେ କିଛି ଜାତୀୟ ଗଣମାଧ୍ୟମ ରାଜରାସ୍ତାରେ କିପରି ଜୀବଜନ୍ତୁମାନେ ଚଳପ୍ରଚଳ କରିବାକୁ ଭଲ ପାଉଛନ୍ତି ସେନେଇ କିଛି ରିପୋର୍ଟ ପ୍ରକାଶ କରିଥିଲେ । କେରଳର ଜାତୀୟ ରାଜପଥରେ ଦଳ ଦଳ ହାତୀପଲ ବୁଲିବା ହେଉ କି ଦିଲ୍ଲୀର ନୋଇଡ଼ା ସହରରେ ଶହ ଶହ ମୟୂର ନିର୍ଭୟରେ ଚଳପ୍ରଚଳ କରିବା ଏହା ନିଶ୍ଚିତ ଭାବେ ଭଲ ଖବର । ମଣିଷ ପରି ପଶୁପକ୍ଷୀମାନେ ମଧ୍ୟ ଚାହାନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନତା ।

ମଣିଷ ବନ୍ୟପ୍ରାଣୀଙ୍କ ଉପରେ ଅତ୍ୟାଚାର କରିବା ସହିତ ଜଙ୍ଗଲ ମଧ୍ୟରେ ପଶି ସେମାନଙ୍କୁ ହଇରାଣ ହରକତ କରିବାକୁ ପଛାଉନଥିଲା । ମାତ୍ର ଏବେ ମଣିଷମାନେ ଘର ଭିତରେ ଲକ୍‌ଡ଼ାଉନ ହୋଇ ରହିଥିବା ବେଳେ ଜଙ୍ଗଲ ପରିସୀମା ଛାଡ଼ି ବନ୍ୟପ୍ରାଣୀ ରାଜରାସ୍ତାରେ ମନଖୁସିରେ ବୁଲିବାକୁ ପସନ୍ଦ କରୁଛନ୍ତି । ଲାଗୁଛି ମଣିଷମାନଙ୍କ ଲକ୍‌ଡାଉନରେ ଏବେ ଜଙ୍ଗଲୀ ଜୀବଜନ୍ତୁ ବାହାରିଛନ୍ତି ପର୍ଯ୍ୟଟନରେ । କେବଳ ଏକାନୁହେଁ ଦଳ ଦଳ ହୋଇ ପଲ ପଲ ହୋଇ ବନ୍ୟପ୍ରାଣୀମାନେ ପରିବାର ସହ ବାହାରିଛନ୍ତି ପରିଭ୍ରମଣରେ ପରିଦର୍ଶନ କରିବାକୁ ନୂଆ ନୂଆ ପର୍ଯ୍ୟଟନସ୍ଥଳୀ !

Leave A Reply

Your email address will not be published.