Latest Odisha News

BREAKING NEWS

ଅଜବ ଢଙ୍ଗରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର : କାନ୍ଦିବା ପରିବର୍ତ୍ତେ ଘରଲୋକେ ଡିଜେ ବଜାଇ ନାଚିଲେ

ଝାନସୀ: ଯଦି ଘରେ କାହାରି ମୃତ୍ୟୁ ହୁଏ, ଘରଲୋକ କାନ୍ଦିବା ସହ ପୁରା ଭାଙ୍ଗି ପଡ଼ନ୍ତି । ଏହାକୁ ନେଇ ସମ୍ପର୍କୀୟମାନେ ଶୋକପ୍ରକାଶ ମଧ୍ୟ କରିଥାନ୍ତି । ହେଲେ ଏବେ ଝାନ୍‌ସୀ ଜିଲ୍ଲାରେ ଏକ ଅନନ୍ୟ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଉଥିବା ବେଳେ ଲୋକମାନେ ଶୋକ କରିବା ପରିବର୍ତ୍ତେ ଡିଜେ ବଜାଇ ନାଚି ନାଚି ଯାଉଥିବା ଦେଖିବାକୁ ମିଳିଛି ।

ଝାନ୍‌ସିର ସମଥର ସହରରେ ରହୁଥିବା ଲୋହପିତା ସମ୍ପ୍ରଦାୟର ଫୁଲ ସିଂ ନାମକ ଜଣେ ବ୍ୟକ୍ତିଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ବହୁତ ଉତ୍ସାହିତ ହୋଇ ଅନ୍ତିମ ସଂସ୍କାର ପାଇଁ ଶୋଭାଯାତ୍ରାରେ ନେଇଥିଲେ । ମୃତଦେହକୁ ଶ୍ମଶାନକୁ ନେବା ବେଳେ ଲୋକେ କାନ୍ଦିବା ପରିବର୍ତ୍ତେ ମହିଳା ଓ ପୁରୁଷ ଡ଼ିଜେ ବଜାଇ ଡ଼୍ୟାନ୍ସ କରୁଥିବା ନଜର ଆସିଛନ୍ତି । ମୃତଦେହ ଆଗେ ଆଗେ ବିବାହ ସମୟରେ ବାଜୁଥିବା ଡ଼ିଜେ ଗାଡ଼ି ଯାଉଥିବା ଦେଥିବାକୁ ମିଳିଛି । ବାସ୍ତବରେ ଏହା ହେଉଛି ସେମାନଙ୍କର ଏକ ପରମ୍ପରା । ସମ୍ପ୍ରଦାୟର ପରମ୍ପରା ଅନୁସାରେ କୌଣସି ଲୋକଙ୍କର ମୃତ୍ୟୁ ଘଟିଲେ ତାଙ୍କ ଆତ୍ମା ପରମାତ୍ମାଙ୍କ ସହ ମିଳନ ହୁଏ । ଜୀବନରେ ସେ ମୋକ୍ଷ ପାଇ ଯାଆନ୍ତି । ତେଣୁ ସେମାନଙ୍କର ବିଶ୍ୱାସ ଧରିତ୍ରୀରୁ ବିଦାୟ ନେଇ ଭଗବାନଙ୍କ ପାଖକୁ ଯାଉଥିବାରୁ ତାଙ୍କୁ ବାଜା ବଜାଇ ଏହି ଶେଷ ସମ୍ମାନ ଦିଆଯାଇଥାଏ ।

ଲୋହପିତା ସମ୍ପ୍ରଦାୟ ମୂଳତଃ ରାଜସ୍ଥାନ ବାସିନ୍ଦା । ଏହି ସମ୍ପ୍ରଦାୟର ଲୋକମାନେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବସବାସ କରନ୍ତି । ଏହି ସମ୍ପ୍ରଦାୟର କିଛି ପରିବାର ବହୁ ବର୍ଷ ହେଲା ସମଥର ସହରରେ ରହିଆସୁଛନ୍ତି । ଫୁଲ ସିଂଙ୍କ ପୁତୁରା କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ତାଙ୍କର ଶେଷ ବିଦାୟ ଦିଆଯାଇଛି । ଆମର ପରମ୍ପରା ଓ ରୀତିନୀତି ଅନୁସରଣ କରି ଆମେ ବଡ଼ ବାପାଙ୍କ ଶେଷ ରୀତିନୀତି କରିଥିଲୁ ।

Comments are closed.