Latest Odisha News

ବଲିଉଡରୁ ଭୋଜପୁରୀ, ଦକ୍ଷିଣରୁ ବଙ୍ଗାଳୀ, ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜେପି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ରାଜନୖତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ବିଜେପି  ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ସେଲିବ୍ରେଟି ବି ଅଛନ୍ତି । ସେମାନେ ଫିଲ୍ମ ଏବଂ ଟେଲିଭିଜନ ମାଧ୍ୟମରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅତୀତରେ ବହୁ ଅଭିନେତା ଓ ଅଭିନେତ୍ରୀ  ବିଜେପି ଟିକେଟରେ ସଂସଦରେ ପହଞ୍ଚିଛନ୍ତି । ପୁଣି ଥରେ ଦଳ କିଛି କଳାକାରଙ୍କ ଉପରେ ବିଶ୍ୱାସ କରିଛି । ପ୍ରଥମ ଥର ପାଇଁ  ଭୋଜପୁରୀ ଓ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି କଳାକାର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଭୋଜପୁରୀ ଫିଲ୍ମ ଷ୍ଟାର ପୱନ ସିଂଙ୍କୁ ବିଜେପି ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ୍ ଦେଇଛି । ଏହି ଆସନରେ ବର୍ତ୍ତମାନ ଅଭିନେତା ତଥା ତୃଣମୂଳ କଂଗ୍ରେସର ଶତୃଘ୍ନ ସିହ୍ନା ସାଂସଦ ଅଛନ୍ତି । ୨୦୧୯ରେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ବିଜେପି ଟିକେଟ୍ ପାଇ ବିଜୟୀ ହୋଇଥିଲେ । ପରେ  ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଏହାପରେ ଏହି ଆସନ ପାଇଁ ଉପନର୍ବାଚନ ହୋଇଥିଲା । ଶତୃଘ୍ନ ସିହ୍ନା ତୃଣମୂଳ କଂଗ୍ରେସରୁ ଟିକେଟ୍ ପାଇଁ ବିଜୟୀ ହୋଇଥିଲେ । ତେବେ ଭୋଜପୁରୀ ଫିଲ୍ମ ଷ୍ଟାର ପୱନ ସିଂ ପ୍ରଥମ ଥର ପାଇଁ  ନିର୍ବାଚନ ଲଢ଼ିବେ ।

ସେହିପରି ପୱନ ସିଂଙ୍କ ସହ ଅନେକ ଭୋଜପୁରୀ ଷ୍ଟାର ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ସ୍ଥାନ ପାଇଛନ୍ତି । ଏଥିମଧ୍ୟରେ ଅଛନ୍ତି ମନୋଜ ତିୱାରୀ, ରବି କିଶନ, ଦୀନେଶ ଲାଲ ଯାଦବ ନିରୁହୁଆ ସାମିଲ ହୋଇଛନ୍ତି । ଅଭିନେତ୍ରୀ ହେମା ମାଳିନୀ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢିବେ ।

ମଥୁରାରୁ ହେମା ମାଳିନୀଙ୍କ ଉପରେ ବିଜେପି ପୁଣି ଥରେ ବିଶ୍ୱାସ କରିଛି । ବର୍ତ୍ତମାନ ହେମାମାଳିନୀ  ମଥୁରାର ସାଂସଦ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ସେ ଆରଏଲଡିର କୁନୱର ନରେନ୍ଦ୍ର ସିଂଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରିଥିଲେ ।

ଅନ୍ୟପକ୍ଷରେ ବିଜେପି ଦିଲ୍ଲୀର ସାତୋଟି ସିଟ୍ ମଧ୍ୟରୁ ପାଞ୍ଚଟିର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ଭୋଜପୁରୀ ଷ୍ଟାର ତଥା ଉତ୍ତର –ପୂର୍ବ ଦିଲ୍ଲୀର  ସାଂସଦ ମନୋଜ ତିୱାରୀଙ୍କ ଉପରେ  ଦଳ  ପୁଣି ଥରେ ବିଶ୍ୱାସ କରିଛି । ୨୦୧୯ ଲୋକସଭା ନିର୍ବାଚନରେ ମନୋଜ ତିୱାରୀ  କଂଗ୍ରେସ ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ ।

ଗୋରଖପୁରର ବର୍ତ୍ତମାନର ସାଂସଦ ତଥା ଅଭିନେତା ରବି କିଶନଙ୍କୁ ବିଜେପି ପୁଣି ଥରେ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଦେଇଛି । ଦଳ ପୁଣି ଥରେ ତାଙ୍କ ଉପରେ ବିଶ୍ୱାସ କରିଛି । ସେ ପୁଣି ଥରେ ଏହି ଆସନରୁ  ନିର୍ବାଚନ ଲଢିବେ । ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ରାମଭୁଆଲ ନିଶାଦଙ୍କୁ  ପ୍ରାୟ ତିନି ଲକ୍ଷ ଭୋଟ  ବ୍ୟବଧାନରେ ହାରାଇଥିଲେ ।

ଏହାସହିତ ବିଜେପି ଉତ୍ତରପ୍ରଦେଶର ଆଜମଗଡରୁ ଆଉ ଜଣେ ଭୋଜପୁରୀ ଷ୍ଟାରଙ୍କୁ ନିର୍ବାଚନ ମୌଦାନକୁ ଆଣିଛି । ୨୦୧୯ ଲୋକସଭା ନିର୍ବାଚନରେ ଦୀନେଶ ଲାଲ ଯାଦବ ନିରୁହୁଆ ଆଜମଗଡ଼ରୁ ଅଖିଳେଶ ଯାଦବଙ୍କୁ ପ୍ରାୟ ଅଢ଼େଇ ଲକ୍ଷ ଭୋଟରେ ହରାଇଥିଲେ । ତେବେ ଉପ-ନିର୍ବାଚନରେ ନିରହୁଆ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରି ଏହି ଆସନ ଦଖଲ କରିଥିଲେ । ପୁଣି ଥରେ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି ।

ବିଜେପି ଫିଲ୍ମ ଅଭିନେତା ସୁରେଶ ଗୋପୀଙ୍କୁ କେରଳର ଥ୍ରୀସୁର  ଆସନ ପାଇଁ ପ୍ରାର୍ଥୀ କରିଛି । ସୁରେଶ ଜଣେ ଅଭିନେତା ହେବା ସହିତ ପ୍ଲେ ବ୍ୟାକ୍ ସିଙ୍ଗର ମଧ୍ୟ । ସାଉଥ୍ ଇଣ୍ଟଷ୍ଟ୍ରୀରେ ସେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।

ଏହାସହିତ  ବିଜେପି ପୁଣି ଥରେ ପଶ୍ଚିମବଙ୍ଗର ହବଲି ଆସନରୁ ଲକେଟ୍ ଚାଟାର୍ଜୀଙ୍କୁ ପ୍ରାର୍ଥୀ କରିଛି । ଲକେଟ୍ ଚାଟାର୍ଜୀ ୨୦୧୯ ଲୋକସଭା ନିର୍ବାଚନରେ ହବଲି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । ସେ ଜଣେ ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ଏବଂ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ।

Leave A Reply

Your email address will not be published.