Latest Odisha News

BREAKING NEWS

ନିଷ୍ପତ୍ତି ବଦଳାଇଲା ବିଜେପି : ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଆଉ କରିବନି ଟାର୍ଗେଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ । ବିରୋଧୀ ନିଜ ରଣକୌଶଳକୁ ନେଇ ଲାଗି ରହିଥିବାବେଳେ ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି । ଏକା ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି ସବୁ ବିରୋଧୀ । ଗଢିଛନ୍ତି ନୂଆ ମେଣ୍ଟ ଇଣ୍ଡିଆ ବା ଇଣ୍ଡିଆନା ନାଶନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତା ଇଣ୍ଡିଆକୁ ନାଁ ନେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ । ହେଲେ ଏବେ ଦଳ ନିଜ ମାନସିକତାରେ ପରିବର୍ତ୍ତନ ଆଣିଛି । ଆଉ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିବନି ବଜେପି । ଆଉ ଇଣ୍ଡିଆକୁ ଟାର୍ଗେଟ କରିବନି ଶାସକ ଦଳ ।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନିଷ୍ପତ୍ତି ନେଇଛି, ବିପକ୍ଷ ମେଣ୍ଟ ଇଣ୍ଡିଆ ପାଇଁ ୟୁପିଏ ଶବ୍ଦ ବ୍ୟବହାର କରିବ  । ପ୍ରେସ କନଫରେନ୍ସ ହେଉ ବା ଟି ଭି ଡିବେଟ । ବିଜେପି ପ୍ରବକ୍ତା ବିରୋଧୀ ମେଣ୍ଟକୁ ୟୁପିଏ ନାମରେ ହିଁ ସମ୍ବୋଧନ କରିବେ । ବିଜେପିର କହିବା ଅନୁଯାୟୀ, ବିରୋଧୀ ଚାହୁଁଛନ୍ତି ସେମାନଙ୍କୁ ଇଣ୍ଡିଆ ମେଣ୍ଟ ନାମରେ ଡକାଯାଉ । ହେଲେ ବିଜେପି ବିରୋଧୀଙ୍କ ଏହି ଟ୍ରାପରେ ଫସିବ ନାହିଁ ।

ଦଳର କହିବା ଅନୁଯାୟୀ ବିରୋଧୀ ଜାଣିଶୁଣି ମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି ଯଦ୍ୱାରା ପୁରୁଣା କାରନାମା ଉପରେ ପରଦା ପକାଇ ହେବ  । ଏହା ଦ୍ୱାରା ୟୁପିଏର ଛବିକୁ ଜନତାଙ୍କ ମନରୁ ପୋଛି ହୋଇଯିବ । ହେଲେ ବିଜେପି ଜନତାଙ୍କୁ ବିପକ୍ଷ ବିଶେଷକରି କଂଗ୍ରେସ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ଜଣାଇବ । ସେଥିପାଇଁ ବିରୋଧୀ ମେଣ୍ଟକୁ ୟୁପିଏ ନାମରେ ସମ୍ବୋଧନ କରିବ । ଦଳର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିବା ସମୟରେ ବାରମ୍ବାର ୟୁପିଏ ଶବ୍ଦର ବ୍ୟବହାର କରୁଥିଲେ ।

ସୂଚନାଥାଉ କି, ଜୁଲାଇ ୧୭ ଏବଂ ୧୮ରେ ବେଙ୍ଗାଲୁରରେ ହୋଇଥିବା ମିଟିଂରେ ବିରୋଧୀ ନିଜ ମେଣ୍ଟର ନାଁ ରଖିଥିଲେ ଇଣ୍ଡିଆ ।   ବିରୋଧୀ ମେଣ୍ଟ ଇଣ୍ଡିଆ ନିଜର ଟାଗ ଲାଇନ ରଖିଛି ‘ଜିତେଗା ଭାରତ’ । ରାଜନୈତିକ ଗବେଷକଙ୍କ କହିବା ଅନୁଯାୟୀ, ବିରୋଧୀ ମେଣ୍ଟ ପୁରା ହିସାବକିତାବ କରି ଦଳର ନାଁ ଇଣ୍ଡିଆ ରଖିଛନ୍ତି  । କାରଣ ମୋଦି ସରକାରଙ୍କ ଅଧିକାଂଶ ଯୋଜନାରେ ଇଣ୍ଡିଆ ଶବ୍ଦ ଯୋଡି ହୋଇ ରହିଛି । ଯେମିତି ଡିଜିଟାଲ ଇଣ୍ଡିଆ…ମେକ ଇନ ଇଣ୍ଡିଆ,ଷ୍ଟାର୍ଟଅପ ଇଣ୍ଡିଆ ଇତ୍ୟାଦି । ତେଣୁ ଶାସକ ଦଳ ବିରୋଧୀଙ୍କ ଉପରେ ବର୍ଷିଲାବେଳେ ଅସୁବିଧାରେ ପଡିବେ  । ଇଣ୍ଡିଆାର ଅର୍ଥ ଭାରତ  । ତେଣୁ ବଜେପି ବିରୋଧୀକୁ ଥଟ୍ଟା ବା ମଜାଜରେ କିଛି କହି ପାରିବ ନାହିଁ ।

 

Comments are closed.