ନ୍ୟୁୟର୍କ: ଘରେ କେହି ଥାଆନ୍ତୁ ବା ନ ଥାଆନ୍ତୁ ଚୋରମାନେ ଘରେ ପଶି ଚୋରି କରିଥାନ୍ତି । ଘରେ ଚୋର ପଶିବା ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଚୋରି କରିବାକୁ ଆସି ଚୋର ପ୍ରେମରେ ପଡ଼ିବା । ନିକଟରେ ଆମେରିକାରେ ଏକ ଚୋର ସହିତ ଏପରି ଘଟଣା ଘଟିଛି । ଯିଏ ଜଣେ ମହିଳାଙ୍କୁ ଲୁଟିବାକୁ ଆସିଥିଲେ, କିନ୍ତୁ ପ୍ରଥମ ଦେଖାରେ ତାଙ୍କୁ ଭଲ ପାଇ ବସିଛନ୍ତି ।
ଅମ୍ବର ବେରାଉନ୍ ନାମକ ଜଣେ ମହିଳା ଆମେରିକାର ଇଣ୍ଡିଆନପଲିସରେ ରୁହନ୍ତି । ଦିନେ ଅମ୍ବର ଅଫିସରୁ ବିଳମ୍ବରେ ଘରକୁ ଫେରିଥିଲେ । ଘର ବାହାରେ ଥିବା ଚିଠି ବାକ୍ସରେ ଚିଠି ଯାଞ୍ଚ କରୁଥିଲେ । ଏହି ସମୟରେ ଏକ ଚୋର ବନ୍ଧୁକ ଧରି ସେଠାରେ ପହଞ୍ôଚଥିଲା । ସେ ମହିଳାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଟଙ୍କା ମାଗିଥିଲା । ଭୟରେ ଅମ୍ବର ତାଙ୍କ ପାଖରେ ଥିବା ୧୦୦ ଡଲାର ଟଙ୍କା ଚୋରକୁ ଦେଇଦେଲେ । ଟଙ୍କା ନେବା ପରେ ଚୋର ସେଠାରୁ ନ ଯାଇ ଫୋନରେ ଫେସବୁକ୍ ଖୋଲିବାକୁ କହିଲା । ଯେତେବେଳେ ଅମ୍ବର ଫେସବୁକ୍ ଖୋଲିଲେ, ଚୋର ତାଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବାକୁ କହିଲା ଓ ସେ ମଧ୍ୟ ଭୟରେ ପଠାଇଥିଲେ । ଚୋରର ନାମ ଥିଲା ଡାମିନ୍ ବଏସ୍ । ପରେ ଚୋର ସେଠାରୁ ଫେରାର ହୋଇଯାଇଥିଲା ।
କିନ୍ତୁ ଫେସବୁକରେ ଚୋର ଅମ୍ବରଙ୍କୁ ମେସେଜ୍ ପଠାଇବା ଆରମ୍ଭ କଲା । ସେ ତାଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଛିି ବୋଲି ମେସେଜ୍ରେ ଜଣାଇଲା । ତାଙ୍କଠାରୁ ଲୁଟି ନେଇଥିବା ଟଙ୍କା ଫେରସ୍ତ କରିବେ ବୋଲି ମଧ୍ୟ ଜଣାଇଲା । ଚୋରର ଏପରି ପରିବର୍ତ୍ତନ ଦେଖି ଅମ୍ବର ବି ଖୁସି ହୋଇଗଲେ । ପରେ ଅମ୍ବର ତାଙ୍କ ସହ ଏକ ଡେଟରେ ଯାଆନ୍ତୁ ବୋଲି ମେସେଜ୍ ଦେଲା ଚୋର । ଏହା ଶୁଣି ଅମ୍ବର ଆଶ୍ଚର୍ଯ୍ୟ ହୋଇଗଲେ । ଅମ୍ବର କହିଥିଲେ ଯେ ତାଙ୍କର ଜଣେ ବୟଫ୍ରେଣ୍ଡ ଅଛନ୍ତି, ସେ ଏହା କରିପାରିବେ ନାହିଁ । ଏହି ଘଟଣାକୁ ନେଇ ଅମ୍ବର ଡ଼ରିବା ସହ ଘରୁ ବାହାରକୁ ବାହାରିବାକୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚୋରକୁ ଗିରଫ କରିଛି ।
Comments are closed.