Latest Odisha News

BREAKING NEWS

ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି..

”ସୁଦ୍ଧ ସ୍ପଟିକ ପ୍ରାୟେକ ତନୁ ବର୍ଣ୍ଣ
ଶଙ୍ଖ ଆକାର କୁଣ୍ଡଳ ବେନି କର୍ଣ୍ଣ ।।
ଶିରେଶ ସପତ ଅହରି ମୁକୁଟ
ମୁକୁତା କଦମ୍ବ ହାର ଶୋହେ କଣ୍ଠତଟ ।।”

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ । ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ ।

ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗିକରାଯାଏ । ବଳଭଦ୍ରଙ୍କ ସମୁଖରେ କଳସ ସ୍ଥାପନକରାଯାଇ ଷଷ୍ଠିଦେବୀଙ୍କୁ ପୂଜା ସହିତ ସପ୍ତଚିରଞିବୀ ମାର୍କଣ୍ତ, ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭିଷଣ, ଓ ପର୍ଶ୍ୱରାମ ପୂଜାବିଧି ସମାପନରେ ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ ।

ଏହା ପରେ ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡଶ ଉପଚାରରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ପୁନଶ୍ଚ, ଭିତରେ ପାଣି ପଡି ଧୋ ପଖାଳ ହୁଏ । ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ, ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ପୂଜାବିଧି ଶେଷ ହେବାପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ତିନୋଟି ଆଜ୍ଞାମାଳକୁ ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନଙ୍କୁ ଲାଗିହେବାପରେ ଭୂଦେବୀ ଓ ଶ୍ରୀଦେବୀ ଝୁଲଣ ମଣ୍ତପକୁ ବିଜେ ହୋଇଥାନ୍ତି । ମଦନମୋହନ ନକ୍ଷେତ୍ର ବନ୍ଦାପନା ସାରି ଝୁଲଣ ମଣ୍ତପକୁ ଗମନ କରନ୍ତି ।

ସୁଦର୍ଶନ ବିଜେ ନିମନ୍ତେ ଦଇତାପତିମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀସୁଦର୍ଶନଙ୍କୁ ଚୋଉଦୋଳରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ, ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ । ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ୱର୍ଣ୍ଣ ଅଳଙ୍କାର ଯଥା – କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ ।

ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି ।

ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିଥାନ୍ତି ।

ବଳଭଦ୍ର ଙ୍କ ଜନ୍ମ ନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.