Latest Odisha News

BREAKING NEWS

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଅଣସର ଘରେ ଚାଲିଛି ଗୁପ୍ତସେବା

ପୁରୀ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି। ଏଥିପାଇଁ ଘଣ୍ଟଘଣ୍ଟା ବାଜିବା ସବୁକିଛି ବାରଣ କରାଯାଇଛି।

ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱରପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି। ଛପନ ପଉଟି ଭୋଗ ବଦଳରେ ଆଜି ଫଳ, ଫୁଲରି ମହାପ୍ରଭୁଙ୍କୁ ଲାଗି ହୋଇଛି। ଦଇତାପତି ସେବକମାନେ ଆଜି ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ସଂପାଦନ କରିଛନ୍ତି। ଗୁପ୍ତନୀତିକୁ ଶୃଙ୍ଖଳିତ କରିବା ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି। ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁ ବିଜେ କରିଛନ୍ତି। ପଟ୍ଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ହେବ।

ଭକ୍ତଙ୍କୁ ସ୍ନାନମଣ୍ଡପରେ ଦିନତମାମ୍‌ ଦର୍ଶନ ଦେଇ ଗତକାଲି ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ପରେ ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତର କାଠ ଏବଂ କଳାହାଟ ଦ୍ଵାର ମଧ୍ୟସ୍ଥିତ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଥିଲା। ଏହି ପିଣ୍ଡିରେ ବୈଦ୍ୟଙ୍କ ପରାମର୍ଶ କ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଛି।

ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ଲାଗି ହେବ। ଶ୍ରୀଜିଉଙ୍କୁ ଭୋଗ ଲାଗି ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିବେ ।

Leave A Reply

Your email address will not be published.