Latest Odisha News

BREAKING NEWS

ହୀରା ଓ ସୁନା ଆଭୂଷଣରେ ଝଟକିଲେ ପ୍ରଭୁ ରାମ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମ ଦରବାରର ଉଦଘାଟନ ହୋଇଯାଇଛି। ପୂଜା ଓ ଅଭିଷେକ କାର୍ଯ୍ୟକ୍ରମ ଶୁଭମୁହୁର୍ତରେ ଅର୍ଥାତ୍ ପୂର୍ବାହ୍ନ ୧୧.୨୫ ରୁ ୧୧.୪୦ ପର୍ଯ୍ୟନ୍ତ ଚାଲିଥିଲା। ତେବେ ରାମଲାଲାଙ୍କ ଗର୍ଭଗୃହର ଉପରେ ଥିବା ପ୍ରଥମ ମହଲାରେ ରାମ ଦରବାର ନିର୍ମିତ ହୋଇଛି। ଏହି ଦରବାରରେ ହନୁମାନଜୀଙ୍କ ସହିତ ଶ୍ରୀରାମ, ମା ସୀତା, ତିନି ଭାଇ – ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନଙ୍କର ମଧ୍ୟ ମୂର୍ତ୍ତି ରହିଛି।

ଏହି ପୂଜାରେ କାଶୀର ପୂଜକ ଜୟ ପ୍ରକାଶ ତ୍ରିପାଠିଙ୍କ ସହ ଆହୁରି  ୧୦୧ ଜଣ ପଣ୍ଡିତ ଉପସ୍ଥିତ ଥିଲେ। ପୂଜା ଓ ମନ୍ତ୍ର ସମୟରେ ସମସ୍ତ ପ୍ରତିମାର ଆଖିରେ ପଟି ବନ୍ଧା ହୋଇଥିଲା ଓ ଏହା ସରିବା ପରେ ଆଖିରୁ ପଟି କଢ଼ା ଯାଇଥିଲା। ତେବେ ଗର୍ଭଗୃହରେ ପ୍ରଭୁ ରାମଙ୍କର ଶିଶୁ ଅବତାର ଥିବାବେଳେ ରାମ ଦରବାରରେ ସେ ରାଜା ଭାବରେ ବସିଛନ୍ତି। ଏହା ବ୍ୟତୀତ ମନ୍ଦିରର ଭୂତଳ ମହଲାରେ ନିର୍ମିତ ପ୍ରାଚୀରର ୬ଟି ମନ୍ଦିରରେ ମଧ୍ୟ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଭଗବାନ ଶିବ, ଶ୍ରୀ ଗଣେଶ, ହନୁମାନ, ଭଗବାନ ସୂର୍ଯ୍ୟ, ମାତା ଭଗବତୀ, ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ରହିଛି।

ଏହି ଅବସରରେ ସୁରଟର ଜଣେ ବ୍ୟବସାୟୀ ମୁକେଶ ପଟେଲ ରାମ ଦରବାର ପାଇଁ ହୀରା, ସୁନା ଏବଂ ରୂପା ଅଳଙ୍କାର ଦାନ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦିନେଶ ନେଭାଡିଆ କହିଛନ୍ତି –  ଏକ ହଜାର କ୍ୟାରେଟ୍ ହୀରା, ୩୦ କିଲୋ ରୂପା, ୩୦୦ ଗ୍ରାମ ସୁନା, ୩୦୦ କ୍ୟାରେଟ୍ ରୁବିରେ ତିଆରି ୧୧ଟି ମୁକୁଟ ଭଗବାନଙ୍କୁ ଦାନ କରାଯାଇଛି। ଏଥି ସହ ଚାରି ଭାଇଙ୍କ ପାଇଁ ହାର, କାନଫୁଲ, କପାଳ ତିଳକ, ଧନୁ ଏବଂ ତୀର ମଧ୍ୟ ଦିଆଯାଇଛି। ଏହି ସମସ୍ତ  ଅଳଙ୍କାରଗୁଡ଼ିକୁ ଚାର୍ଟର୍ଡ ବିମାନରେ ଅଯୋଧ୍ୟା ଅଣାଯାଇଥିଲା।

ତେବେ  ଭକ୍ତମାନେ କେବେ ରାମ ଦରବାର ଦର୍ଶନ କରିପାରିବେ ଏ  ନେଇ ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧୁନିକ ଭାରତର ଭାଗୀରଥ ବୋଲି କହିଥିଲେ। ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଜ ନିଜ ଜିଲ୍ଲାରେ ଥିବା ନଦୀ ଗୁଡ଼ିକୁ ପୁନଃ ଖୋଦନ ପାଇଁ ପରାମର୍ଶ ଦେବା ସହ ନଦୀ କୁ ନାଳ ସହ ସଂଯୋଗ ନ କରିବାକୁ ମଧ୍ୟ କହିଛନ୍ତି ଏଥି ସହ ଏଥିରେ କୌଣସି ମୃତ ପଶୁ ମାନଙ୍କୁ ନ ପକାଇବାକୁ ମଧ୍ୟ କୁହାଯାଇଛି।

 

Comments are closed.