ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ ଯେତେବେଳେ ମନ୍ଦିରକୁ ଯାଉ ସେତେବେଳେ ମନ୍ଦିର ଭିତରେ ଏବଂ ଭଗବାନଙ୍କ ସାମ୍ନାରେ ଥିବା ଦାନ ବାକ୍ସ ଉପରେ ଆମର ନଜର ନିହାତି ଭାବରେ ପଡିଥାଏ । ଭକ୍ତ ମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସେହି ଦାନବାକ୍ସରେ ଅର୍ଥ ଦାନ କରନ୍ତି । ଆଉ ସେସବୁ ଭଗବାନଙ୍କ ସମ୍ପତ୍ତି ହୋଇଯାଏ । ତେବେ ଏହାରିଭିତରେ ତାମିଲନାଡୁର ଏକ ମନ୍ଦିରର ଭିଡିଓ ଏବେ ବେଶ୍ ଭାଇରାଲ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ତାମିଲନାଡୁର ଏକ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଯେତେବେଳେ ସେ ଦାନ ବାକ୍ସରେ ଟଙ୍କା ପକାଉଥିଲେ ସେତେବେଳେ ଅଚାନକ ତାଙ୍କ ପକେଟରେ ଥିବା ଆପଲ୍ ଆଇଫୋନଟି ବାକ୍ସରେ ପଡ଼ିଯାଇଥିଲା। ଯେତେବେଳେ ସେ ତାଙ୍କ ଫୋନକୁ ମନ୍ଦିର ଟ୍ରଷ୍ଟରୁ ଫେରାଇ ଦେବାକୁ କହିଥିଲେ ସେତେବେଳେ ମନ୍ଦିର ଟ୍ରଷ୍ଟ ତାଙ୍କୁ ଫୋନଟି ଫେରାଇବାକୁ ସିଧାସଳଖ ମନା କରିଦେଇଥିଲା । ପ୍ରାୟ ୫୦ ବର୍ଷର ପୁରୁଣା ନିୟମକୁ ଦର୍ଶାଇ ମନ୍ଦିର ଟ୍ରଷ୍ଟ କହିଛି ଯେ, ଏହି ଫୋନ୍ ବର୍ତ୍ତମାନ ମନ୍ଦିରର ସମ୍ପତ୍ତି । ତେଣୁ ଏହାକୁ ଫେରାଯାଇ ପାରିବ ନାହିଁ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏ ଘଟଣାଟି ହେଉଛି ଚେଙ୍ଗଲପାଟ୍ଟୁ ଜିଲ୍ଲାର ଥିରୁପୋରୁର ଶ୍ରୀ କଣ୍ଡାସ୍ୱାମୀ ମନ୍ଦିରର । ଟ୍ରଷ୍ଟର ଜଣେ ଅଧିକାରୀ କହିବା ଅନୁସାରେ, ଅଧିକାରୀ କହିଛନ୍ତି ଯେ, ହୁଣ୍ଡି ପ୍ରତିଷ୍ଠା, ସୁରକ୍ଷା ଏବଂ ଆକାଉଣ୍ଟସ୍ ନିୟମ, ୧୯୭୫ ଅନୁଯାୟୀ, ହୁଣ୍ଡିରେ ଦିଆଯାଇଥିବା କୌଣସି ଜିନିଷ ଭକ୍ତଙ୍କୁ ଫେରସ୍ତ କରାଯାଇପାରିବ ନାହିଁ। ତେଣୁ ତାକୁ ଯେକୌଣସି ମୁହୁର୍ତ୍ତରେ ମଧ୍ୟ ମଧ୍ୟ ମାଲିକକୁ ଫେରା ଯାଇପାରିବ ନାହିଁ । ତେବେ ଆଇଫୋନର ମାଲିକ ଦୀନେଶ ଚାହିଁଲେ କେବଳ ଫୋନରେ ଥିବା ତଥ୍ୟ ଏବଂ ସିମ କାର୍ଡ ନେଇପାରିବେ ବୋଲି କହିଛି ଟ୍ରଷ୍ଟ । କିନ୍ତୁ ଦୀନେଶ ଫୋନକୁ ଫେରାଇବାକୁ ଅନୁରୋଧ କରିଥିଲେ ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, “ଦାନ ବାକ୍ସରେ ଯାହା ଜମା ହୁଏ ତାହା ମନ୍ଦିର ଆକାଉଣ୍ଟକୁ ଯାଏ” ଯଦିଓ ଏହା ସ୍ୱେଚ୍ଛାକୃତ ଭାବେ ଦିଆଯାଇନାହିଁ ତଥାବି ଏହା ମନ୍ଦିରର । ପ୍ରଶାସନ କହିଛି “ମନ୍ଦିରର ରୀତିନୀତି ଏବଂ ପରମ୍ପରା ଅନୁଯାୟୀ, ଦାନ ବାକ୍ସରେ ଦିଆଯାଇଥିବା କୌଣସି ଜିନିଷ ସିଧାସଳଖ ସେହି ମନ୍ଦିର ଦେବତାଙ୍କ ଆକାଉଣ୍ଟକୁ ଯାଇଥାଏ। ନିୟମ ଅନୁଯାୟୀ, ଭକ୍ତମାନଙ୍କୁ ନୈବେଦ୍ୟ ଫେରାଇବାକୁ ଅନୁମତି ଦିଆଯାଇ ନାହିଁ। ” ତେବେ ଭକ୍ତଙ୍କୁ କ୍ଷତିପୂରଣ ଦେବାର ସମ୍ଭାବନା ଅଛି କି ନାହିଁ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ବିଚାର ବିମର୍ଶ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ ମେ ମାସରେ କେରଳର ଜଣେ ଭକ୍ତ ଅଜାଣତରେ ନିଜ ସୁନା ଚେନ୍ ମନ୍ଦିର ଦାନ ବାକ୍ସରେ ପକାଇ ଦେଇଥିଲେ । ତେବେ ତାଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ସିସିଟିଭି ଫୁଟେଜରୁ ଚେନ୍ ହଠାତ୍ ଖସିଯାଇଥିବାର ନିଶ୍ଚିତ କରିବା ପରେ ମନ୍ଦିର ଟ୍ରଷ୍ଟି ବୋର୍ଡର ଚେୟାରମ୍ୟାନ୍ ବ୍ୟକ୍ତିଗତ ଖର୍ଚ୍ଚରେ ସମାନ ମୂଲ୍ୟର ଏକ ନୂଆ ସୁନା ଚେନ୍ କିଣି ଭକ୍ତଙ୍କୁ ଦେଇଥିଲେ।