ଭୁବନେଶ୍ୱର: ୪୮ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର କହିଛି ଯେ ଅଗଷ୍ଟ ୧୩ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।
ଏହାର ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାନେଇ ଆଶା କରାଯାଉଛି। ୧୬ ଅଗଷ୍ଟ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ପାଇଁ ଅରେଞ୍ଜ ଏବଂ ହଳଦିଆ ସତର୍କତା ଜାରି କରିଛି ଆଇଏମଡି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା, ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଅଗଷ୍ଟ ୧୨-୧୩ରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କିଛି ସ୍ଥାନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅରେଞ୍ଜ ସତର୍କତା ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଅଗଷ୍ଟ ୧୩-୧୪ରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ବିଜୁଳି ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।
ଅଗଷ୍ଟ ୧୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଅଗଷ୍ଟ ୧୪ ଏବଂ ୧୫ ତାରିଖରେ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏପଟେ ସମୁଦ୍ର ସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ଫଳରେ ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
Comments are closed.