Latest Odisha News

ଉପ ମହାଦେଶରେ ସର୍ବନିମ୍ନ ସ୍କୋର କଲା ଟିମ ଇଣ୍ଡିଆ

ବେଙ୍ଗାଲୁର: କିଛି ଦିନ ତଳେ କାନପୁରରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ରଥମେ ବ୍ୟାଟିଂ କରି ୩୧.୨ ଓଭରରେ ୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଟିମ ୩ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରି ନେଇଛି । ଭ୍ରମଣକାରୀ ଦଳ ଏବେ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ୧୩୪ ରନ ଆଗରେ ରହିଛି । ରଚୀନ ରବୀନ୍ଦ୍ର ୨୨ ଓ ଡାରେଲ ମିଚେଲ ୧୪ ରନ କରି ଅପରାଜିତ ରହିଛନ୍ତି । ।

ଭାରତର ୫ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହୋଇଥିଲେ । ବିରାଟ କୋହଲି, ସର୍ଫରାଜ ଖାଁ, ରବୀନ୍ଦ୍ର ଜାଡେଜା,କେଏଲ ରାହୁଲ ଓ ଆର ଅଶ୍ୱୀନ ଖାତା ଖୋଲିପାରି ନ ଥିଲେ । ଟେଷ୍ଟ କ୍ରିକେଟରେ ଏସୀୟ ମହାଦେଶର ଏହା ସର୍ବନିମ୍ନ ଦଳଗତ ସ୍କୋର । ଭାରତ ମାଟିରେ ମଧ୍ୟ ଏହା ସବୁଠାରୁ କମ ସ୍କୋର । ୨୦୨୧ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୩ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ଟେଷ୍ଟ କ୍ରିକେଟରେ ୩୬ ହେଉଛି ଭାରତର ଓଭରାଲ ସର୍ବନିମ୍ନ ସ୍କୋର । ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩୬ ରନ ସଂଗ୍ରହ କରିଥିଲା । ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ୪୨, ୧୯୪୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୮, ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ୫୮ ରନ କରିଥିଲା ।

ଟସ ଜିତି ପ୍ରଥମେ ବ୍ୟାଟିଂ ନେବା ରଣନୀତି ଦୃଷ୍ଟିକୋଣରୁ ଭୁଲ ନିଷ୍ପତି ଭାବେ ବିବେଚନା କରାଯାଉଛି । ବାଂଲାଦେଶକୁ ହରାଇ ଭାରତ ଭଲ ଫର୍ମରେ ଥିବା ବେଳେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କା ବିପକ୍ଷରେ ଖରାପ ପ୍ରଦର୍ଶନ କରି ଚାପରେ ଥିଲେ । ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଉଚିତ ନିଷ୍ପତି ହୋଇଥାନ୍ତା ବୋଲି ସମୀକକ୍ଷମାନେ କହିଛନ୍ତି ।

Leave A Reply

Your email address will not be published.