ହାଇଦ୍ରାବାଦ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମ ବିଜୟ ହାସଲ କରିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ରିଷଭ ପନ୍ତଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଲକ୍ଷ୍ନୌ ୫ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୧୫୬ ରନ ସଂଗ୍ରହ କରିଥିଲା । ମହମ୍ମଦ ସାମୀ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ୯ ରନ ଦେଇ ଟ୍ରେଭିସ ହେଡ ଓ ଅଭିଷେକ ଶର୍ମାଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ହେନରିକ କ୍ଲାସେନ ୬୨ ଓ ନୀତିଶ କୁମାର ରେଡ୍ଡୀ ୫୬ ରନ କରିବା ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା ।
ପ୍ରିନ୍ସ ଯାଦବ ଓ ଆଭେଶ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ହାତରେ ଗୋଟିଏ ବଲ ବାକି ଥାଇ ଲକ୍ଷ୍ନୌ ବିଜୟ ହାସଲ କରିଥିଲା । ପନ୍ତ ୬୮ ରନ କରି ଅପରାଜିତ ରହିଥିଲେ । ଆଇଡେନ ମାର୍କରାମ ୪୫ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସାମୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।