Latest Odisha News

ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା; ଆଜି ରାୟଗଡ଼ା ବନ୍ଦ

ରାୟଗଡା: ଆଜି ରାୟଗଡ଼ା ବନ୍ଦ । ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପାଳନ ସକାଳ ୬ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ ସବୁ ବନ୍ଦ ରହିବ ।

ଏହି ୧୨ ଘଣ୍ଟିଆ ବନ୍ଦ ଶାନ୍ତି ଓ ଅଂହିସା ଭାବେ ପାଳନ କରାଯିବା ନେଇ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଯାନ ବାହାନ ଚଳାଚଳ ମଧ୍ୟ ଠପ ହୋଇଯାଇଛି । ଫଳରେ ନିଜ ନିଜ କାମରେ ଯିବା ପାଇଁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ତେବେ ବାରମ୍ବାର ଦାବି ସତ୍ତ୍ବେ ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ର ରହସ୍ୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ହାତରେ ହାତ ଯୋଡି ପୋଲିସ ବସିରହିଥିବା ଅଭିଯୋଗ କରିଛି ସଂଘ । ଏହି ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସରକାର ଏହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛି ସଂଘ । ତେବେ ମହାସଂଘର ଅଭିଯୋଗକୁ ନେଇ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ୨୧ ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାଶୀପୁର ଅଂଚଳର ଲକ୍ଷ୍ମୀ ମାଝୀଙ୍କ ଦରପୋଡା ଦେହ ମିଳିଥିଲା । ହେଲେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁର ୯ ଦିନ ପରେ ହତ୍ୟା ଅଭିଯୋଗ ଆଣି ତାଙ୍କ ବାପା ଏତଲା ଦେଇଥିଲେ । ଏହାପରେ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ଫରେନ୍ସିକ୍ ଲ୍ୟାବର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ହେଲେ ଏହି ଘଟଣାକୁ ୧୬ ଦିନ ବିତିଯାଇଥିଲେ ସୁଦ୍ଧା ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ଏହା ରହସ୍ୟ ଘେରରେ ରହିଛି ।

Comments are closed.