ନିଶ୍ଚିନ୍ତକୋଇଲା: କୁଳୁକୁଳୁ ସ୍ୱରରେ ବହି ଯାଉଛି ଲୁଣା ନଦୀ । ନଦୀ ଚାରିପଟେ ଘେରି ରହିଛି ସବୁଜିମା ଭରା ବୃକ୍ଷରାଜି । ନଦୀ ପଠାରେ ବିରାଜିତ ମା ରାମଚଣ୍ଡୀ । ପ୍ରାକୃତିକ ଶୋଭା ବିମଣ୍ଡିତ ଏଇ ନଦୀକୂଳରେ ବସି ଖଡ୍ଗ ହସ୍ତା ମା’ ରାମଚଣ୍ଡୀ ଯେମିତି ଭକ୍ତଙ୍କୁ ପାଛୋଟି ନେଉଛନ୍ତି ।
ମା’ ରାମଚଣ୍ଡୀଙ୍କର ପୀଠ ରହିଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତରେ । କେରିଲୋ ବାହାରବମ୍ପୁରେ ଥିବା ମା’ଙ୍କର ଏହି ପ୍ରସିଦ୍ଧ ପୀଠକୁ ଯିବା ପାଇଁ ହେଲେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଅସୁରେଶ୍ୱର ଛକରୁ କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତା ଦେଇ ଯିବାକୁ ପଡ଼ିବ । ଲୁଣା ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ କଡ଼ରେ ରହିଛି ମା’ ଙ୍କ ପୀଠ ।
ପରିସରରେ ଥିବା ବୃକ୍ଷ ରାଜି ଏହି ପୀଠର ଶୋଭାକୁ ଆହୁରି ଦ୍ୱିଗୁଣିତ କରିବାରେ ସହାୟକ ହେଉଛି। ସକାଳର ସୁର୍ଯ୍ୟ କିରଣ ହେଉ ଅବା ମଧ୍ୟାହ୍ନ ଅବା ସାୟାହ୍ନର ସୂର୍ଯ୍ୟକିରଣ । ମା’ ରାମ ଚଣ୍ଡୀଙ୍କ ମନ୍ଦିର ବେଢା ହିଁ କେବଳ ସ୍ପର୍ଶ କରିବାରେ ସକ୍ଷମ ହୁଏ , ମନ୍ଦିରଟି ଫୁଙ୍ଗୁଳା କାନ୍ଥ ଥିଲେ ହେଁ ସୁର୍ଯ୍ୟ କିରଣ ମା ଙ୍କ ଶାଶ୍ୱତ ପ୍ରତିମୂର୍ତ୍ତିକୁ ସ୍ପର୍ଶ କରି ପାରେ ନାହିଁ ।
ମା’ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି । ତେଣୁ ଭକ୍ତମାନେ ମାନସିକ ରଖି ପୀଠାରେ ମାଛ ଆଉ ଛାଗ ବଳି ଦେଇଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମା’ ପ୍ରଥମେ ନଦୀ ପଠାର ଏକ ବରଗଛ କୋରଡରେ ପୂଜା ପାଉଥିଲେ । ସମୟକ୍ରମେ ମା ଙ୍କ ପାଇଁ ମନ୍ଦିର ନିର୍ମାଣ ସହିତ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ପଠା ସଂରକ୍ଷଣ ନିମନ୍ତେ ପଥର ପ୍ୟାକିଂ କରଯାଇଥିଲା । ୩୦୦୦ରୁ ଉର୍ଦ୍ଧ୍ବ ଵୃକ୍ଷ ରୋପଣ କରାଯାଇଛି। ଫଳସ୍ୱରୂପ ମା ରାମଚଣ୍ଡୀ ପୀଠ ଏବେ ବଣଭୋଜିର ପ୍ରମୁଖ ସ୍ଥାନ ପାଲଟିଛି ଉପକୂଳ ଜିଲ୍ଲାବାସୀଙ୍କ ପାଇଁ । ଯାଜପୁର ,ପୁରୀ ,କେନ୍ଦ୍ରାପଡା ,ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟକ ମାନେ ପ୍ରତ୍ୟେକ ଦିନ ଏଠାରେ ବଣଭୋଜି କରିବାକୁ ଆସୁଛନ୍ତି। ଖାଲି ସେତିକି ନୁହେଁ ପୁରାତନ ଛାତ୍ର ଛାତ୍ରୀ ମାନେ ବନ୍ଧୁ ମିଳନ ପାଇଁ ରାମଚଣ୍ଡୀ ପୀଠ କୁ ପ୍ରଥମ ପସନ୍ଦ କରୁଛନ୍ତି।
Comments are closed.