Latest Odisha News

BREAKING NEWS

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ ପାରିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ି ପଞ୍ଚାୟତର ଲଦିଗାଁ । ଗାଁ ଲୋକେ ଲଦିଭାଲୁଝର ପାହାଡ଼ରୁ ଝରି ପଡୁଥିବା ଝରଣା ପାଣିର ଗତିପଥ ପରିବର୍ତ୍ତନ କରି ଚାଷଜମିକୁ ପାଣି ମଡ଼଼ାଇ ଫସଲ କରୁଛନ୍ତି ।

ଝରଣା ପାଣିର ଲାଭ ଏବେ ଲଦିଗାଁ ସହ ବଣ୍ଡକାଗୁଡ଼ା ଓ ଗିରଲିଗୁଡ଼ା ଗାଁର ଚାଷୀ ପାଉଛନ୍ତି । ବିଲରେ ଭଳିକି ଭଳି ପରିବା ଫଳୁଥିବା ବେଳେ ମାସିକ ୫ରୁ ୭ ହଜାର ଟଙ୍କା ରୋଜଗାର ହେଉଛି । ଝରଣା ପାଣିରେ ଜମିକୁ ଜଳସେଚନ ଲାଗି ୮ ଜଣ ଚାଷୀ ପରିକଳ୍ପନା କରିଥିଲେ । ଯାହାକୁ ସହାୟତାର ହାତ ବଢ଼ାଇଥିଲେ ଗ୍ରାମବାସୀ ।

ସମସ୍ତେ ଶ୍ରମଦାନ କରିବା ସହ ୫୦ ହଜାର ଟଙ୍କା ଆଦାୟ କରିଥିଲେ । ଏବେ ପରିଶ୍ରମର ଫଳରେ ୬୦ ଏକର ଜମି ଜଳସେଚିତ ହୋଇ ପାରିଛି । ଜମି ଜଳସେଚିତ ହେବା ଫଳରେ ଚାଷୀମାନେ ବାଇଗଣ, ଟମାଟୋ, ଆଳୁ, ଫୁଲକୋବି, ଲଙ୍କା ଓ ଅନ୍ୟ ପନିପରିବା ଚାଷ କରୁଛନ୍ତି । ଗ୍ରାମବାସୀଙ୍କ ଉଦ୍ୟମକୁ ସରକାରୀ ସହାୟତା ମିଳିଲେ ଏହାର ସୁଫଳ ଆହୁରି ଅଧିକ ଚାଷୀ ପାଇ ପାରନ୍ତେ ।

Leave A Reply

Your email address will not be published.