ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । କଂଗ୍ରେସର ଅନ୍ତର୍କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କଂଗ୍ରେସର ଏହି ଅନ୍ତର୍କନ୍ଦଳର ଭରପୁର ଫାଇଦା ଉଠାଉଛି ବିଜେପି । କଂଗ୍ରେସର ଦଳୀୟ ଅସନ୍ତୋଷ ନିଆଁରେ ଘିଅ ଢାଳୁଛି ବିଜେପି ।
ବିଜେପି ଛାଡି କଂଗ୍ରେସକୁ ଆସିଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀଙ୍କ ଟିକେଟ ଶେଷ ମୁହୂର୍ତ୍ତରେ କଟିଯିବା ପରେ କଂଗ୍ରେସରେ ଅନ୍ତର୍ବିବାଦ ବିସ୍ଫୋରକ ରୂପ ନେଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଘୁବଂଶୀଙ୍କ ସମର୍ଥକଙ୍କୁ କମଳନାଥ କଡା ଜବାବ ଦେଇଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି, କମଳନାଥଙ୍କ ଜବାବ । ଏହି ଜବାବର ଏକ ଭିଡିଓ ବିଜେପି ସୋସିଆଲ ମିଡିଆରେ ସେୟାର କରିଛି ବିଜେପି । କ୍ୟାପସନରେ ଲେଖାଯାଇଛି ‘ଦିଗବିଜୟ ସିଂ ଏବଂ ଜୟବର୍ଦ୍ଧନଙ୍କ ପୋଷାକ ଚିରି ଦିଅ..’ । ଏହି ଭିଡିଓ ବେଶ ଭାଇରାଲ ହୋଇଛି ।
ଭିଡିଓରେ ଦେଖିବାକୁ ମିଳିଛି, ଭୋପାଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥ ଶିବପୁରୀ ଜିଲ୍ଲାରୁ ଆସିଥିବା ରଘୁବଂଶୀଙ୍କ ଅସନ୍ତୁଷ୍ଟଙ୍କୁ କହିଛନ୍ତି, ‘ଆପଣମାନେ ଏଠାରେ ଗଣ୍ଡଗୋଳ କରନ୍ତୁ ନାହିଁ । ଦିଗବିଜୟ ସିଂହ ଏବଂ ଜୟବର୍ଦ୍ଧନଙ୍କ ପାଖକୁ ଯାଆନ୍ତୁ ଏବଂ ତାଙ୍କ ପୋଷାକ ଚିରି ଦିଅନ୍ତୁ ।’
ପ୍ରକୃତ କଥା ହେଲା, ଏହି ଭିଡିଓରେ କମଳନାଥ ବୀରେନ୍ଦ୍ର ରଘୁବଂଶୀ ସମର୍ଥକଙ୍କୁ ଟିକେଟ ସମ୍ପର୍କରେ ଦିଗବିଜୟ ସିଂ ଏବଂ ତାଙ୍କର ବିଧାୟକ ପୁଅ ଜୟବର୍ଦ୍ଧନ ସିଂହଙ୍କ ସହ କଥାବାର୍ତ୍ତା କରନ୍ତୁ ବୋଲି କହିବାକୁ ଚାହୁଁଥିଲେ । କଥାବାର୍ତ୍ତା ଭିତରେ ବି ସେ ଏପରି ଏକ ଉକ୍ତି କହିଥିଲେ । ବିଜେପି ସେହି ଖଣ୍ଡ ବାକ୍ୟକୁ ନେଇ ଭିଡିଓ ଭାଇରାଲ କରିଛି ।
ସେତିକି ନୁହେଁ, ଏହି ଭିଡିଓକୁ ନେଇ ବିଜେପି କଂଗ୍ରେସର ବେଶ ଧୁଲେଇ କରିଛି । ମଧ୍ୟପ୍ରଦେଶ ବିଜେପିର ମିଡିଆ ପ୍ରଭାରୀ ଆଶୀଷ ଅଗ୍ରୱାଲ ସୋସିଆଲ ମିଡିଆରେ କହିଛନ୍ତି, ‘ କମଳନାଥଜୀ, ଆପଣ ତ କପଡା ଚିରିବା ପର୍ଯ୍ୟନ୍ତ ଆସିଗଲେଣି ।‘ କମଳନାଥଙ୍କୁ ଆହୁରି ସମାଲୋଚନା କରି କହିଛନ୍ତି, ‘ଆପଣ ବି କ’ଣ କରିପାରିବେ ? ପୁରା କଂଗ୍ରେସ ତ ଦୁଇ ଫାଳ ହୋଇ ଗଲାଣି ।’
ବିଜେପି ମିଡିଆ ପ୍ରଭାରୀ ନିଆଁରେ ଘିଅ ଢାଳି ଆହୁରି କହିଛନ୍ତି, ‘ଏହି ଭିଡିଓ ଦେଖି ଦିଗବିଜୟ ସିଂହ ଆପଣ ଏବଂ ଆପଣଙ୍କ ସୁପୁତ୍ରଙ୍କୁ କଷ୍ଟ ତ ନିଶ୍ଚୟ ହେଉଥିବ । ଏହାର ଜବାବ ତ ନିଶ୍ଚୟ ଦେବେ । ଏବେ ଦେଖିବାର କଥା, କିଏ କାହାର ପୋଷାକ ଫାଡୁଛି ।’
Comments are closed.