Latest Odisha News

ମହଙ୍ଗା ହେବ ମ୍ୟାଗି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତୀୟ ତଥା ଆଜିକାଲିର ଯୁବପିଢୀଙ୍କର ସବୁଠାରୁ ପସନ୍ଦର ଖାଦ୍ୟ କହିଲେ ପ୍ରଥମେ ଆସେ ମ୍ୟାଗିର ନାଁ । ମାତ୍ର କେଇଟା ମିନିଟରେ ପ୍ରସ୍ତୁତ ଏହି ନୁଡୁଲ୍ସ ବର୍ତ୍ତମାନ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି । ସକାଳର ଜଳଖିଆ ହେଉ କି ରାତ୍ରୀ ଭୋଜନ ରୋଷେଇ କରିବାର ଇଚ୍ଛା ନଥିଲେ ଝଟପଟ୍ ମ୍ୟାଗି ବନେଇ ଖାଇଦେଉଛନ୍ତି । ବିଶେଷକରି ପିଲା ଏବଂ ଯୁବକ ଯୁବତୀମାନଙ୍କର ଏହା ସବୁଠାରୁ ପସନ୍ଦ । ତେବେ କହିରଖୁଛୁ ଯେ ମ୍ୟାଗି ଲଭରଙ୍କ ପାଇଁ ଆସିଛି ଏକ ବଡ ଖବର । ମହଙ୍ଗା ହୋଇପାରେ ମ୍ୟାଗି । ସବୁଠୁ ବଡ କଥା ହେଉଛି ଏହା ପଛରେ ଭାରତ ସରକାରଙ୍କର ନୁହେଁ, ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ନିୟମ ରହିବ।

ତେବେ କହିରଖୁଛୁ ଯେ, ମ୍ୟାଗି ମହଙ୍ଗା ହେବାର କାରଣ ହେଉଛି ୧୯୯୪ରେ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ଡବଲ୍ ଟ୍ୟାକ୍ସେଶନ ଏଭୋଡାନ୍ସ ଚୁକ୍ତିନାମା (DTAA) ଅନୁଯାୟୀ ମୋଷ୍ଟ-ଫେଭରେଡ୍-ନେସନ୍ (MFN) ଧାରାକୁ ସ୍ଥଗିତ ରଖିବା । ପ୍ରକୃତରେ, ଜାନୁଆରୀ ୧, ୨୦୨୫ ରୁ ସ୍ୱିଜରଲ୍ୟାଣ୍ଡ ଏହି ଧାରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଭାରତର ସୁପ୍ରିମକୋର୍ଟଙ୍କ ଦ୍ଵାରା ୨୦୨୩ରେ ନିଆଯାଇଥିବା ଏକ ନିଷ୍ପତି ପରେ ଏହି ପଦକ୍ଷେପ ନେଇଛନ୍ତି ସ୍ଵିଜରଲ୍ୟାଣ୍ଡ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ମୋଷ୍ଟ-ଫେଭରେଡ୍-ନେସନ୍ ଧାରା ସ୍ୱୟଂଚାଳିତ ଭାବରେ ପ୍ରଯୁଜ୍ୟ ନୁହେଁ, ବରଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ବିଜ୍ଞପ୍ତି ଆବଶ୍ୟକ।

ମୋଷ୍ଟ-ଫେଭରେଡ୍-ନେସନ୍ ଧାରାର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ଟିକସ ଚୁକ୍ତିରେ ଅଂଶଗ୍ରହଣ କରୁଥିବା ଦେଶମାନେ ପରସ୍ପରକୁ ସମାନ ସୁବିଧା ପ୍ରଦାନ କରିବାକୁ ନିଶ୍ଚିତ କରିବା | ସ୍ଵିଜରଲ୍ୟାଣ୍ଡ ଅଭିଯୋଗ କରିଛି ଯେ ଭାରତ ସ୍ଲୋଭେନିଆ, ଲିଥୁଆ ଏବଂ କଲମ୍ବିଆ ଭଳି ଅନ୍ୟ ଦେଶ ସହିତ ଡିଟିଏଏ ଅଧୀନରେ ଅଧିକ ଅନୁକୂଳ ଟିକସ ସୁବିଧା ପ୍ରଦାନ କରିଛି, ଯାହା ସ୍ୱିସ୍ କମ୍ପାନୀଗୁଡିକୁ ମିଳିନି । ଏହି ଅସମାନତାକୁ ଦୃଷ୍ଟିରେ ରଖି ସ୍ୱିଜରଲ୍ୟାଣ୍ଡ ୨୦୨୫ ରୁ ଏହି ଧାରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.