ନୂଆଦିଲ୍ଲୀ: ସକାଳୁ ସକାଳୁ ଚିଲିରେ ବଡ ଧରଣର ଭୂକମ୍ପ । କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ କେଲାମାରୁ ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା। ତେବେ ଏତେ ବଡ ଭୂକମ୍ପ ହୋଇଥିଲେ ହେଁ ବର୍ତ୍ତଜମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ବିଶେଷ କ୍ଷୟକ୍ଷତି ନେଇ ମଧ୍ୟ ତଥ୍ୟ ମିଳିପାରି ନାହିଁ ।
ତେବେ ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଭୂକମ୍ପ ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । କିଛି ଘରର କାନ୍ଥ ଫାଟି ଯାଇଥିବା ନେଇ ମଧ୍ୟ ଦେଖାଯାଇଛି । ତେବେ ଏହା ଚିଲି ଭୂକମ୍ପର କି ନାହିଁ ତାହା ନିଶ୍ଚିତ ହୋଇନାହିଁ।
Comments are closed.