Latest Odisha News

ମହାକୁମ୍ଭରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଛୋଟୁ ବାବା

ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ସମସ୍ତେ ଏହି ସମୟରେ ଗଙ୍ଗାରେ ବୁଡ ପକାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନାଗା ବାବା ଏବେ ଚର୍ଚ୍ଚାରେ । ଗଙ୍ଗାପୁରୀ ମହାରାଜ ଏବେ ପୁରା ମହାକୁମ୍ଭରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ଯେ କେହି ବି ତାଙ୍କୁ ଦେଖି କିଛି ସମୟ ପାଇଁ ତାଙ୍କ ନିକଟରେ ଅଟକି ଯାଉଛନ୍ତି । କିଏ ତାଙ୍କ ସହ ସେଲଫି ନେଉଛନ୍ତି ତ କିଏ ପୁଣି ତାଙ୍କ ଆଶୀର୍ବାଦ ନେବକୁ ଘଡିଏ ରହିଯାଉଛନ୍ତି । ବାକି ସମସ୍ତ ସାଧୁ ସନ୍ଥ ଗଙ୍ଗାରେ ବୁଡ ପକାଉଥିବା ବେଳେ ଗଙ୍ଗାପୁରୀ ମହାରାଜ ଗଙ୍ଗାରେ ବୁଡ ନ ପକାଇ ଗଙ୍ଗା କୂଳରେ ବସି ଧ୍ୟାନ କରନ୍ତି ।

ବାସ୍ତବରେ ଗଙ୍ଗାପୁରୀ ମହାରାଜ ସନ୍ୟାସୀ ମାନଙ୍କ ମଧ୍ୟରେ ସବୁଠାରୁ ବଡ ଏବଂ ବୈଭବଶାଳି ଜୁନା ଆଖଡାର ନାଗା ସାଧୁ ଅଟନ୍ତି ଏବଂ ଆସାମର କାମାକ୍ଷା ପୀଠ ସହିତ ସେ ଜଡିତ । ବାସ୍ତବରେ ଗଙ୍ଗାପୁରୀ ମହାରାଜ ପୁରା ମହାକୁମ୍ବରେ ତାଙ୍କର ଉଚ୍ଚତା ପାଇଁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଉଚ୍ଚତା ମାତ୍ର ତିନି ଫୁଟ । ଅର୍ଥାତ୍ ବାବା ଦେଖିବାକୁ କେବଳ ପାଞ୍ଚ ବର୍ଷର ଶିଶୁ ପରି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ବୟସ ସତୁରି ବର୍ଷ । ତାଙ୍କର ସ୍ୱଳ୍ପ ଉଚ୍ଚତା ହେତୁ ଅନେକ ଲୋକ ତାଙ୍କୁ ଛୋଟୁ ବାବା ଏବଂ କେହି କେହି ତାଙ୍କୁ ଟାଇନି ବାବା ବୋଲି ଡାକନ୍ତି । କିନ୍ତୁ ଗଙ୍ଗାପୁରୀ ମହାରାଜଙ୍କ ମୁଖରେ ତାଙ୍କର ଉଚ୍ଚତାକୁ ନେଇ କେବେ ହେଲେ ନିରାଶ ଭାବ ଦେଖାଯାଏନାହିଁ ।

ତାଙ୍କ ଉଚ୍ଚତାକୁ ନେଇ ପଚରାଗଲେ ସେ କୁହନ୍ତି, ତାଙ୍କର ତିନି ଫୁଟ ଉଚ୍ଚତା ତାଙ୍କର ଦୁର୍ବଳତା ନୁହେଁ ବରଂ ତାଙ୍କର ଶକ୍ତି । ଏହି କାରଣରୁ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି । ମୋତେ ଦେଖିବାକୁ ପ୍ରବଳ ଭିଡ ଲଗାନ୍ତି । ତେବେ ଗଙ୍ଗାପୁରୀ ମହାରାଜଙ୍କ ସହିତ ଜଡିତ ଆଉ ଏକ ବିଶେଷ କଥା ଅଛି । ସେ ଗତ ବତିଶ ବର୍ଷ ଧରି ଗାଧୋଇ ନାହାଁନ୍ତି। ଏହା ପଛରେ ତାଙ୍କର ଏକ ସଂକଳ୍ପ ଅଛି, ଯାହା ଗତ ବତିଶ ବର୍ଷ ମଧ୍ୟରେ ମଧ୍ୟ ହାସଲ ହୋଇପାରି ନାହିଁ । ଏନେଇ ବାବା କୁହନ୍ତି ଯେ, ଯେଉଁ ଦିନ ତାଙ୍କର ସଂକଳ୍ପ ପୂରଣ ହେବ, ସେ ପ୍ରଥମେ କ୍ଷିପ୍ରା ନଦୀରେ ବୁଡ଼ ପକାଇବେ। ବାବାଙ୍କ ଅନୁଯାୟୀ, ଭିତର ମନକୁ ଶରୀର ଅପେକ୍ଷା ଶୁଦ୍ଧ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ଅନ୍ୟ ନାଗା ସାଧୁମାନଙ୍କ ଭିଡ଼ଠାରୁ ଦୂରରେ ଏକାନ୍ତରେ ରହି ତନ୍ତ୍ର ସାଧନା କରନ୍ତି । ପ୍ରାୟ ସମୟ ସେ ମଶାଣୀରେ ମଧ୍ୟ ଧ୍ୟାନ କରନ୍ତି ।

 

Comments are closed.