Latest Odisha News

BREAKING NEWS

Dronacharya’s Ashram: ଉତ୍ତରାଖଣ୍ଡ ମାଟିତଳେ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମ? ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରୁଣା ଇଟା, ମହାଭାରତ ଯୁଗ ସହ ମେଳ ଖାଉଛି!

ଡେରାଡୁନ୍: ମହାଭାରତର କାହାଣୀ ଓ ପ୍ରାଚୀନ ଭାରତର ଇତିହାସକୁ ନେଇ ରହିଥିବା ରହସ୍ୟ ଉପରୁ ହଟିବ ପରଦା? ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମ ସହ ସମ୍ପର୍କ ଥିବା କୁହାଯାଉଥିବା ଏକ ପ୍ରାଚୀନ ସ୍ଥଳରେ ପୁଣି ଖନନ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)। ଉତ୍ତରାଖଣ୍ଡର କାଶୀପୁରସ୍ଥିତ ଦ୍ରୋଣାସାଗରରେ ଚାଲିଥିବା ଏହି ଖନନରୁ ମହାଭାରତ ଯୁଗ ସହ ଜଡ଼ିତ ସମ୍ଭାବ୍ୟ ତଥ୍ୟ ଏବଂ ଶୁଙ୍ଗ-କୁଷାଣ ସମୟର ଐତିହାସିକ ପ୍ରମାଣ ମିଳିବା ନେଇ ଆଶା ରହିଛି।

ASIର ଡେରାଡୁନ୍ ସର୍କଲ୍‌ର ଦାୟିତ୍ୱରେ ଥିବା ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ମୋହନ ଚନ୍ଦ୍ର ଯୋଶୀଙ୍କ ଅନୁସାରେ, ଦ୍ରୋଣାସାଗରରେ ପ୍ରଥମ ଖନନ ୧୯୬୫ ମସିହାରେ ହୋଇଥିଲା। ଏହାପରେ ୧୯୭୦-୭୧ ମସିହାରେ ମଧ୍ୟ ଖନନ କରାଯାଇଥିଲା। ଏହି ସମୟରେ ଅନେକ ପ୍ରାଚୀନ ଢାଞ୍ଚା ଏବଂ ପେଣ୍ଟେଡ୍ ଗ୍ରେ ୱେୟାର (PGW) ନାମକ ଧୂସର ରଙ୍ଗର ଚିତ୍ରିତ ମାଟିପାତ୍ରର ପ୍ରମାଣ ମିଳିଥିଲା। ଏହି ମାଟିପାତ୍ର ଓ ଅନ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆଧାରରେ କେତେକ ଗବେଷକ ଏହି ସ୍ଥଳକୁ ମହାଭାରତ ଯୁଗ ସହ ଯୋଡ଼ି ଦେଖୁଛନ୍ତି। ତେବେ ଏହାର ପ୍ରକୃତ ଐତିହାସିକ ସମୟ ଓ ମହାଭାରତ ସହ ସମ୍ପର୍କ ସ୍ପଷ୍ଟ କରିବାକୁ ଆହୁରି ଗବେଷଣା ଆବଶ୍ୟକ।

ASI ଅଧିକାରୀଙ୍କ କହିବା ଅନୁସାରେ, ଏଠାରେ ପୂର୍ବରୁ ଖନନ ହୋଇଥିବା କେତେକ ଢାଞ୍ଚା ପ୍ରାୟ ୨ ହଜାର ବର୍ଷ ପୁରୁଣା। ନୂଆ ଖନନ ଆରମ୍ଭ ହେବାର ପ୍ରାୟ ୨୦ରୁ ୨୫ ଦିନ ମଧ୍ୟରେ ଶୁଙ୍ଗ-କୁଷାଣ ଯୁଗର ଏକ ଛୋଟ ଇଟା ମିଳିଛି। ଏଥିସହ ଏକ ବୃତ୍ତାକାର ଇଟା ନିର୍ମିତ ଢାଞ୍ଚା ମଧ୍ୟ ଆବିଷ୍କୃତ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହାକୁ ଏକ ପ୍ରାଚୀନ କୂଅ ବୋଲି ପ୍ରାଥମିକ ଭାବେ ଅନୁମାନ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଉନ୍ମୋଚନ ହେବା ପରେ ଏହାର ପ୍ରକୃତ ସ୍ୱରୂପ ଓ ବ୍ୟବହାର ବିଷୟରେ ଅଧିକ ତଥ୍ୟ ମିଳିପାରିବ।

ଏହି ବୃତ୍ତାକାର ଢାଞ୍ଚାର ମୂଳଦୁଆ କେଉଁଠି ରହିଛି, କେତୋଟି ସ୍ତରରେ ନିର୍ମାଣ ହୋଇଛି ଏବଂ ବିଭିନ୍ନ ସମୟରେ ଇଟାର ଢାଞ୍ଚା ବ୍ୟବହାର ହୋଇଥିଲା କି ନାହିଁ, ତାହା ଜାଣିବାକୁ ଖନନ ଜାରି ରହିଛି। ବାରମ୍ବାର ବର୍ଷା ଯୋଗୁଁ କାମ ପ୍ରଭାବିତ ହୋଇଥିବା ମଧ୍ୟ ଅଧିକାରୀ କହିଛନ୍ତି। ଏବେ ASIର ଲକ୍ଷ୍ୟ ହେଉଛି ପ୍ରାକୃତିକ ମାଟିର ସ୍ତର ପର୍ଯ୍ୟନ୍ତ ଖନନ କରି ଏହି ସ୍ଥଳର ସମ୍ପୂର୍ଣ୍ଣ ଐତିହାସିକ କ୍ରମ ଜାଣିବା। ଏହି ଖନନରୁ ମହାଭାରତ ସମ୍ପର୍କିତ ନୂଆ ତଥ୍ୟ ମିଳିବ କି ନାହିଁ, ତାହା ଆଗାମୀ ଗବେଷଣା ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.