Latest Odisha News

ନବରାତ୍ରୀ ୨୦୨୪: ମହାଗୌରୀ ବେଶରେ ସୁସଜ୍ଜିତ ମା’

ଭୁବନେଶ୍ଵର: ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ, ନବରାତ୍ରୀ ମହାଷ୍ଟମୀ (ଦୂର୍ଗାଷ୍ଟମୀ) ତିଥିରେ ଜଗଜ୍ଜନନୀ କରୁଣାମୟୀ ମାଁ ନବଦୂର୍ଗା ଙ୍କୁ ଦେବୀ ମାଁ ମହାଗୌରୀ ସ୍ୱରୂପରେ ପୂଜାର୍ଚ୍ଚନା କରାଯାଏ । ମହାଗୌରୀ ସ୍ୱରୂପରେ ବ୍ରୁଷଭ ବାହନା ଚତୁର୍ଭୂଜା ମାତା ସମ୍ପୂର୍ଣ୍ଣ ଗୌରବର୍ଣ୍ଣା ଏବଂ ତାଙ୍କର ବସ୍ତ୍ର ଓ ସମସ୍ତ ଆଭୂଷଣ ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ । ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି।

ଆଜିର ପବିତ୍ର ମହାଷ୍ଟମୀ ତିଥିରେ କନ୍ଯା ପୂଜନ ସହ ଅସ୍ତ୍ର ଶସ୍ତ୍ର ମଧ୍ୟ ପୂଜନ କରାଯାଇଥାଏ । ପବିତ୍ର ଦୂର୍ଗାଷ୍ଟମୀରେ, ଆମ ଓଡ଼ିଶାର ପଶ୍ଚିମାଂଚଳରେ, ଭଉଣୀ ମାନେ ନିଜ ଭାଇ ମାନଙ୍କ ସର୍ବ ମଙ୍ଗଳ କାମନା କରି “ଭାଇ ଜିଉନ୍ତିଆ” ଉପବାସ କରି ଥାଆନ୍ତି । ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ।

କୁହାଯାଏ କି, ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ। ମହାଗୌରୀଙ୍କୁ ମମତାର ପ୍ରତୀକ ଓ କଲ୍ୟାଣକାରୀ ଭାବେ ମାନେ କରାଯାଇଥାଏ । ବିଶ୍ୱାସ କରାଯାଏ କି, ଏହି ଦିନ ମା’ଙ୍କର ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ ମିଳିଥାଏ । ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ କଠୋର ତପସ୍ୟା କରିଥିଲେ । ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା । ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁଣି ତପସ୍ୟା କରିଥିଲେ।

ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳା ରଙ୍ଗ ଚାଲି ଯାଇଥିଲା ଏବଂ ସେ ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ । ଯାହା ପରଠୁ ମା’ଙ୍କୁ ‘ମହାଗୌରୀ’ରୂପେ ପୂଜା କରାଯାଏ । ଏହି ରୂପରେ ମାଆଙ୍କର ବିଭିନ୍ନ ଅଲୌକିକ ଲୀଳା ରହିଛି । ମା’ ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ରଚିଥିବା ଲୀଳା ମଧ୍ୟରେ ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ । ମାନ୍ୟତା ରହିଛି ମାଆଙ୍କୁ ଏହି ରୂପରେ ପୂଜା କରିବାଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ଏବଂ ମନୁଷ୍ୟ ସୁସ୍ଥ ରହିଥାଏ ।

Leave A Reply

Your email address will not be published.