ମାହାଙ୍ଗା: କଟକର ମାହାଙ୍ଗାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ଆହୁରି ବଢ଼ି ଚାଲିଛି। ଏହି ଘଟଣା ବିବାଦୀୟ ହେବାର ଅନେକ କାରଣ ରହିଛି। ଝିଅର ପରିବାର ଲୋକେ କହିଛନ୍ତି, ବାତ ରୋଗ ଥିଲା। ଆଉ ସେହି କାରଣରୁ ମୃତ୍ୟୁ ଘଟିଛି। ହେଲେ ନାବାଳିକା ଜଣଙ୍କ ମୃତ୍ୟୁ ପୂର୍ବରୁ ପ୍ରେମିକ (ସ୍କୁଲ ସାର)ଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ତାର ପରିବାର ଲୋକେ ମାରିବାକୁ ଉଦ୍ୟମ କରୁଛନ୍ତି। ଆଉ ସେ ଗୋଟିଏ କଣ ଖାଇଛି। ଅର୍ଥାତ ହତ୍ୟା ପାଇଁ ସଙ୍କେତ। ଅନ୍ୟପଟେ ଭାଇରାଲ ଅଡିଓ କଲରେ କୁହାଯାଇଛି ଝିଅର ମୃତ୍ୟୁ ପରେ ତାକୁ ପୋଡିବା ପରେ ଅସ୍ଥିକୁ ପାଣିରେ ଭସାଇ ଦିଆଯାଇଛି।
ପରିବାର ଲୋକେ କହିଛନ୍ତି ବାତ ରୋଗରେ ଝିଅର ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ହୋଇଛି ବୋଲି କୌଣସି ଡାକ୍ତରୀ ରିପୋର୍ଟ ଅଛି କି ପ୍ରଶ୍ନକୁ ଝିଅର ବାପା ଏଡାଇ ଦେଇଛନ୍ତି। ସେହିପରି ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ମଧ୍ୟ ହୋଇନି। ତେଣୁ ଝିଅର ପରିବାର ଲୋକେ ସନ୍ଦେହ ଘେରରେ। ସେହିପରି ଝିଅର ପ୍ରେମ ସମ୍ପର୍କ ଜଣାପଡିବାର କିଛି ଦିନ ପରେ ମୃତ୍ୟୁ ହୋଇଛି। ତେଣୁ ଏଠି ପ୍ରେମିକ (ସ୍କୁଲ ସାର) ମଧ୍ୟ ସନ୍ଦେହ ଘେରକୁ ଟାଣି ହେଉଛନ୍ତି। ଅନ୍ୟପଟେ ମାହାଙ୍ଗାରେ ଏତେ ବଡ ଘଟଣା ଘଟିଯାଉଛି ପୋଲିସର ନାକ ତଳେ ହେଲେ ପୋଲିସ ନିଘୋଡ ନିଦ୍ରାରେ ଶୋଇବା ମାମଲାକୁ ଜଟିଳ କରିଛି।
ଭାଇାରଲ ଅଡିଓ କଲଟି ଝିଅର ପ୍ରେମିକଙ୍କ ମା ଓ ସେ ପାଠ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ମଧ୍ୟରେ ହୋଇଥିବା ଜଣାପଡିଛି। ଯିଏକି ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତର ହତ୍ୟା ପୂର୍ବରୁ ତାଙ୍କୁ ବାରମ୍ବାର ଫୋନ୍ କଲ କରିଥିବାରୁ ସନ୍ଦେହ ଘେରରେ ରହିଛନ୍ତି। ଏବଂ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏବେର ବିଧାୟକଙ୍କ ଖାସ୍ ବୋଲି କୁହାଯାଉଛି।
ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ଚିଠି ଓ ସ୍ଥାନୀୟ ଶାସକ ଦଳର ନେତାଙ୍କ ଫୋନ୍ କଲ ରେକର୍ଡ ଏହି ଘଟଣାକୁ ଆହୁରି ରହସ୍ୟ ଘେରକୁ ଠେଲି ଦେଇଛି। ସେହିପରି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ନକରି ତରବରିଆ ଭାବେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।
ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ହିଁ ଘଟଣା ପଦାକୁ ଆସିଛି। ଏହି ଅଡିଓରେ ଶରତ ନାୟକ ଓ ଜଣେ ଶିକ୍ଷକଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି। ଯାହାଙ୍କ ପୁଅ ସହ ନାବାଳିକାର ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ଭାଇରାଲ୍ ଅଡିଓରେ ଶରତ ନାୟକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ମା’ଙ୍କୁ କହୁଥିବା ଶୁଣିବାକୁ ମିଳୁଛି ଯେ, ଛାତ୍ରୀଙ୍କ ମୃତଦେହକୁ ପୁଲିସର ପରାମର୍ଶକ୍ରମେ ବ୍ୟବଚ୍ଛେଦ ନକରି ପ୍ରମାଣ ନଷ୍ଟ କରିଦିଆଯାଇଛି। ଭାଇରାଲ ଅଡିଓ ବାର୍ତ୍ତାଳାପ ଅନୁଯାୟୀ, ଶିକ୍ଷକଙ୍କ ମା’ଙ୍କଠାରୁ ଶରତ ନାୟକ 70 ହଜାର ଟଙ୍କା ଦାବି କରିଥିବା ମଧ୍ୟ ଅଭିଯୋଗ ହୋଇଛି।
‘ନ୍ୟାୟ ପାଇଁ ଲଢ଼େଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ ଦାଶ କହିଛନ୍ତି, ଗୋଟିଏ ଅଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଜଣେ ମହିଳାଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ଅଡିଓ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଡିଓରେ ଶୁଣିବାକୁ ମିଳୁଛି ଯେ ପରବର୍ତ୍ତୀ ସମୟରେ ଯୁବତୀଙ୍କ ଅଧାପୋଡ଼ା ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।
ଶବ ବ୍ୟବଚ୍ଛେଦ କରାଯାଇନଥିବା ବେଳେ ମାହାଙ୍ଗା ଥାନା ଆଇଆଇସି ଓ ସାଲେପୁର ଏସଡିପିଓ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛନ୍ତି। ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗୀ ଶରତ ନାୟକ ଏହାର ମାଷ୍ଟରମାଇଣ୍ଡ ବୋଲି ସୁବ୍ରତ ଦାଶ ଅଭିଯୋଗ କରିଛନ୍ତି।
ଏ ନେଇ ଶରତ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମୁଁ ହୁଏତ ମହିଳାଙ୍କ ସହ କଥା ହୋଇଥାଇପାରେ। କେଉଁ ପରିସ୍ଥିତିରେ ମୁଁ ଏଭଳି କଥା କହିଲି, ତାକୁ ମୁଁ ଗୁରୁତ୍ୱ ଦେଇନଥାଏ। ଆପଣ ଯାହା କରିପାରିବେ କରନ୍ତୁ। ଏହି ଘଟଣାରେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ଓଡିଶା ଡିଜିପିଙ୍କୁ ଭେଟି ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି।
ଯେହେତୁ ମୁଁ ପୂରା ଘଟଣାକୁ ସମ୍ଭାଳିଛି, ମୋତେ 70 ହଜାର ଟଙ୍କା ଦିଅ ବୋଲି ଶରତ ନାୟକ କହୁଥିବା ଶୁଣିବାକୁ ମିଳୁଛି। ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ସେପଟେ ଏ ନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତାଙ୍କ ଝିଅକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମୃତକଙ୍କ ବାପା କହିଛନ୍ତି।
ସେହିପରି କଟକ ଏସପି ମିହିର ପଣ୍ଡା କହିଛନ୍ତି, ଏସିପିଙ୍କ ନେତୃତ୍ବରେ ତଦନ୍ତ କରିବାକୁ ଟିମ୍ ଗଠନ ହୋଇଛି। ଭାଇରାଲ ହୋଇଥିବା ଅଡିଓ ଓ ଚିଠି ପୋଲିସ ନଜରକୁ ଆସିଛି।
Comments are closed.