Latest Odisha News

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ; ଏନସିପିଠାରୁ ସମର୍ଥ ପାଇବା ପରେ କଂଗ୍ରେସକୁ ଅପେକ୍ଷା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଇଥିଲେ ମଧ୍ୟ ଏହି ମେଣ୍ଟ ସରକାର ଗଠନ କରିବା ଅନିଶ୍ଚିତ ହୋଇପଡ଼ିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଜୋରଦାର ଯୋଜନା ପ୍ରସ୍ତତି ଆରମ୍ଭ କରିଦେଇଛନ୍ତି ।

ଶରଦ ପାୱାରଙ୍କ ଏନସିପିଠାରୁ ସରକାର ଗଠନ ନେଇ ସମର୍ଥନ ପାଇବା ପରେ ଶିବସେନା ଏବେ କଂଗ୍ରେସର ଦ୍ୱାରସ୍ଥ ହୋଇଛି । ସୋମବାର ଦିନ ସନ୍ଧ୍ୟାରେ ଶ୍ରୀ ଠାକରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ସୋନିଆ ଗାନ୍ଧୀ ଉଦ୍ଧବଙ୍କୁ ଏସମ୍ପର୍କରେ ତାଙ୍କ ଦଳର ଆଭିମୁଖ୍ୟ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ରରେ ଶିବସେନା ସହିତ ବିଜେପି ଏକପ୍ରକାର ସମ୍ପର୍କ ଚ୍ଛିନ୍ନ କରିଦେଇଛି କହିଲେ ଚଳେ । ତେବେ ଏନସିପି ଏବଂ କଂଗ୍ରେସର ବିନା ସମର୍ଥନରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ କିମ୍ବା ଶିବସେନା ମଧ୍ୟ ସରକାର ଗଠନ କରିପାରିବ ନାହିଁ । ସରକାର ଗଠନ କରିବାକୁ ହେଲେ ମହାରାଷ୍ଟ୍ର ବିଧାନସଭାରେ ୧୪୫ଟି ଆସନର ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ପଡ଼ିବ ।

ଗତ ନିର୍ବାଚନରେ ବିଧାନସଭାର ସମୁଦାୟ ୨୮୮ଟି ଆସନ ମଧ୍ୟରୁ ବିଜେପି ଏକାକୀ ୧୦୫ଟି ଆସନ ଅକ୍ତିଆର କରିଥିବା ବେଳେ ଶିବସେନା ୫୬ଟି, ଏନସିପିକୁ ୫୪ଟି ଏବଂ କଂଗ୍ରେସକୁ ୪୪ଟି ସିଟ୍ ହାସଲ ହୋଇଛି । ଅନ୍ୟାନ୍ୟ ୧୩ଟି ଆସନରେ ବିଜୟ ଲାଭ କରିଛନ୍ତି ।

ତେବେ ସିଟ୍ ପରିସଂଖ୍ୟାନକୁ ଦେଖିଲେ ଶିବସେନା-ଏନସିପି ଏବଂ କଂଗ୍ରେସ ମିଳିତ ହୋଇ ସରକାର ଗଠନ କରିପାରିବେ ।

ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ହେଲେ ଉଦ୍ଧବ ଠାକରେଙ୍କୁ କଂଗେସର ସମର୍ଥ ନିହାତି ଆବଶ୍ୟକ । ତେଣୁ ସବୁକିଛି ନିର୍ଭର କରୁଛି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ଉପରେ । ମହାରାଷ୍ଟ୍ର ରାଜନୀତିକୁ ଲକ୍ଷ୍ୟ କରି ଏଆଇସିସିର ଏକ ବୈଠକ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ବୈଠକରେ ହିଁ ମହାରାଷ୍ଟ୍ର ସରକାର ଗଠନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରେ କଂଗ୍ରେସ ।

Leave A Reply

Your email address will not be published.