Latest Odisha News

ଓଡିଶାରେ ମହାତ୍ମା

ଭୁବନେଶ୍ବର: ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ବାର୍ତ୍ତାବହ ମହାତ୍ମା ଗାନ୍ଧି ନିଜ ଜୀବନ କାଳରେ ୭ଥର ଓଡିଶା ଆସି ଦେଇଥିଲେ ସ୍ୱାଧୀନତାର ମନ୍ତ୍ର । ଦେଶମାତୃକାର ସ୍ୱାଧୀନତା ଓ ସ୍ୱାଧିକାର ପାଇଁ ଓଡିଶାବାସୀଙ୍କୁ ପ୍ରେରିତ କରିଥିଲେ ଗାନ୍ଧିଜୀ । ଦେଇଥିଲେ ଅହିଂସାର ମହନୀୟ ବାର୍ତ୍ତା । ୧୯୨୧ରୁ ୧୯୪୬ ମଧ୍ୟରେ ଗାନ୍ଧିଜୀ ଓଡିଶା ଆସିଥିଲେ ।

୧୯୨୧ରେ ପ୍ରଥମେ ଓଡିଶା ଆସିଥିଲେ ଗାନ୍ଧିଜୀ

ଗାନ୍ଧିଜୀ ପତ୍ନୀ କସ୍ତୁରବାଙ୍କ ସହ ୧୯୨୧ରେ ଆସିଥିଲେ ଓଡିଶା । ଓଡିଶାକୁ ଏହା ଥିଲା ଗାନ୍ଧିଜୀଙ୍କ ପ୍ରଥମ ଗସ୍ତ । ବାପୁ ଓ କସ୍ତୁରବା ୧୯୨୧ ମାର୍ତ୍ତ ୨୩ରେ କଟକ ଯାଇଥିଲେ । କଦମ-ଏ-ରସୁଲରେ  ହିନ୍ଦୁ –ମୁସଲିମ ଏକତା ଉପରେ ଜୋର୍ ଦେଇଥିଲେ ଗାନ୍ଧିଜୀ । କାଠଯୋଡି ନଦୀଶଯ୍ୟାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ଗାନ୍ଧିଜୀ । ବିନୋଦ ବିହାରୀରେ ମହିଳାଙ୍କ ସଭାରେ ଉଦବୋଧନ ଦେଇଥିଲେ । ଭାଷଣ ଶୁଣିବାକୁ ଆସିଥିବା ମହିଳାମାନେ ସ୍ୱାଧୀନତା ସଂଗ୍ରାମ ପାଇଁ ଗାନ୍ଧିଜୀଙ୍କୁ ଦାନ କରିଥିଲେ ବିପୁଳ ପରିମାଣର ସୁନା ଗହଣା । ସେହି ବର୍ଷ ମାର୍ଚ୍ଚ ୨୫ରେ ଭଦ୍ରକରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ଗାନ୍ଧିଜୀ । ପରେ ସତ୍ୟବାଦୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟ ପରିଦର୍ଶନ କରି ପୁରୀ ଯାଇଥିଲେ । ପୁରୀରେ ଏକ ସଭାରେ ସାମିଲ ହୋଇଥିଲେ ଗାନ୍ଧିଜୀ । ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଯାଇ ପଣ୍ଡିତ ଗୋପବନ୍ଧୁଙ୍କ ସହ ବିଶାଳ ସଭାକୁ ଉଦବୋଧନ ଦେଇଥିଲେ ବାପୁ ।

୧୯୨୫ରେ ଗାନ୍ଧିଜୀଙ୍କ ଦ୍ୱିତୀୟ ଓଡିଶା ଗସ୍ତ

୧୯୨୫ ମସିହାରେ ଦ୍ୱିତୀୟ ଥର ପାଇଁ ଓଡିଶା ଆସିଥିଲେ ଗାନ୍ଧିଜୀ । କଟକ ଜିଲ୍ଲା ପରିଦର୍ଶନ କରିଥିଲେ ବାପୁ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉତ୍କଳ ଟାନେରି ପରିଦର୍ଶନ କରିଥିଲେ ବାପୁ ।

୧୯୨୭ ଓଡିଶା ଗସ୍ତରେ ଖଦିର ପ୍ରଚାର କରିଥିଲେ ବାପୁ

ତୃତୀୟ ଥର ପାଇଁ ୧୯୨୭ରେ ଓଡିଶା ଆସିଥିଲେ ବାପୁ । ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଖଦି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟାଚଂଳ ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ। ପରେ କଟକ ଯାଇ ଏକ ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ।

୧୯୨୮ରେ ଝାରସୁଗୁଡା ଓ ସମ୍ବଲପୁର ଗସ୍ତ

୧୯୨୮ରେ ପୁଣି ଓଡିଶା ଆସିଥିଲେ ମହାତ୍ମା । କୋଲକାତା ଯିବା ବାଟରେ ଝାରସୁଗୁଡାରେ ରହଣି କରିଥିଲେ ଗାନ୍ଧିଜୀ । ପ୍ରଥମେ ଝାରସୁଗୁଡା ଓ ପରେ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ଶୁଣିଥିଲେ ଲୋକଙ୍କ ଆପତ୍ତି ଅଭିଯୋଗ ।

୧୯୩୪ରେ ଗାନ୍ଧିଜୀଙ୍କ ପଂଚମ ଓଡିଶା ଗସ୍ତ

୧୯୩୪ରେ ମହାତ୍ମା ଗାନ୍ଧି ପୁଣି ଆସିଥିଲେ ଓଡିଶା । ଛୁଆଁ ଅଛୁଆଁ ମନୋଭାବ ଦୂରେଇବା ପାଇଁ ଦେଇଥିଲେ ଆହ୍ୱାନ । ଝାରସୁଗୁଡା ଓ ସମ୍ବଲପୁରରେ ଅସ୍ପୃଶ୍ୟତା ଦୂର ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ଗାନ୍ଧିଜୀ । ଅନୁଗୁଳ ଓ ପରେ ପୁରୀ ଯାଇଥିଲେ ବାପୁ । ପୁରୀରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ କଟକ ଯାଏଁ ପଦଯାତ୍ରା କରଥିଲେ ।

୧୯୩୪ରେ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା

୧୯୩୪ରେ ହିଁ ପୁଣି ଓଡିଶା ଆସି ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ମେ’ ୨୧ ୧୯୩୪ରେ ଯାଜପୁର ଜିଲ୍ଲାର ବରିରୁ ଭଦ୍ରକ ଯାଏଁ ହରିଜନ ପଦଯାତ୍ରାରେ ବାହାରିଥିଲେ ଗାନ୍ଧିଜୀ । ଏକାଧିକ ସ୍ଥାନ ଦେଇ ଯାତ୍ରା କରିଥିଲେ ଗାନ୍ଧିଜୀ ।

୧୯୩୮ରେ ବାପୁଙ୍କ ସପ୍ତମ ଓଡିଶା ଗସ୍ତ

୧୯୩୮ ମସିହାରେ ସପ୍ତମ ଥର ପାଇଁ ଓଡିଶା ଆସିଥିଲେ ଗାନ୍ଧିଜୀ । ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳର ବେରାବୋଇରେ ଗାନ୍ଧି ସେବା ସଂଘ ଓ ଗ୍ରାମ୍ୟଦ୍ୟୋଗ ପ୍ରଦର୍ଶନୀରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ରାଜେନ୍ଦ୍ର ପ୍ରସାଦ ମଧ୍ୟ ଆସିଥିଲେ ।

୧୯୪୬ରେ ଶେଷ ଗସ୍ତ

୧୯୪୬ ମସିହା ଜାନୁଆରୀ ମାସରେ ଅଷ୍ଟମ ତଥା ଶେଷ ଥର ପାଇଁ ଓଡିଶା ଆସିଥିଲେ ଗାନ୍ଧିଜୀ । ଟ୍ରେନରେ ଚେନ୍ନାଇ ଯିବା ବେଳେ ସେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁରରେ ଲୋକଙ୍କୁ ଭେଟିଥିଲେ । ସବୁ ଷ୍ଟେସନରେ ଗାନ୍ଧିଜୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା ।

Leave A Reply

Your email address will not be published.