ଯାଜପୁର: ମହାବିନାୟକ ମନ୍ଦିର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୁରାତନ ମନ୍ଦିର । ଏଠାରେ ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଞ୍ଚ ଦେବତା । ଗଣେଷ, ଭାସ୍କର,ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ଅବସ୍ଥିତ । ମହାବିନାୟକ ମନ୍ଦିରର ଗର୍ଭଗୃହରେ ଏକ ପଦ୍ମପୀଠ ଉପରେ ଏହି ପଞ୍ଚଦେବତା ଏକତ୍ର ପୂଜିତ ହୁଅନ୍ତି।
ଏହିକ୍ଷେତ୍ର ବିଷୟରେ ବହୁ ଲୋକକଥା, ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି । ମନ୍ଦିରଟି ଯେଉଁ ପର୍ବତ ମଧ୍ୟରେ ରହିଛି ଏହାକୁ ମହାବିନାୟକ ପର୍ବତ କୁହଯାଏ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି ଏହି ପୁରାତନ ମନ୍ଦିର। ଏହି ଶୈବ କ୍ଷେତ୍ର କଟକ ଠାରୁ ଦୂରତା ୪୦ କିଲୋମିଟର । ପର୍ଯ୍ୟଟକମାନେ ପ୍ରଥମେ ଚଣ୍ଡିଖୋଲ ଛକରେ ଓହ୍ଲାଇ ସୁକିନ୍ଦା-ପାରାଦ୍ୱୀପ ଏକ୍ସପ୍ରେସ ୱେରେ ସୁକିନ୍ଦା ଆଡକୁ ଯିବାକୁ ପଡିବ। ଏହି ଅଞ୍ଚଳକୁ ସ୍ୱର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ରତ୍ନଗିରି-ଲଳିତଗିରି-ଛତିଆବଟ ଓ ମହାବିନାୟକ କ୍ଷେତ୍ରକୁ ଗୋଟିଏ ତ୍ରିଭୁଜରେ ଯୋଡା ଯାଇଛି।
ଦ୍ୱାଦଶ ଶତାଦ୍ଦୀରେ କେଶରୀ ରାଜାଙ୍କ ଶାସନକାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହାପରେ ଏହି କ୍ଷେତ୍ର ଦର୍ପଣ ରାଜାଙ୍କର ସ୍ୱତନ୍ତ୍ର କ୍ଷେତ୍ରଭାବେ ମାନ୍ୟତା ପାଇଲା। ସେହି ଦିନଠାରୁ ଏହିସ୍ଥାନ ଐତିହାସିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ମାନ୍ୟତା ପାଇଛି । ମହାବିନାୟକ କ୍ଷେତ୍ର ଭାବେ ଲୋକଜନରେ ଆଦୃତ ଏହି କ୍ଷେତ୍ର କେବଳ ଓଡ଼ିଶାରେ ପ୍ରସିଦ୍ଧିଲାଭ କରିନାହିଁ, ସାରା ବିଶ୍ୱରେ ପଂଚଦେବ ବା ମହାବିନାୟକ କ୍ଷେତ୍ର ଭାବେ ବେଶ ପରିଚିତ।
ପୁରାଣ ଓ ଇତିହାସର ସୁନ୍ଦର ସମନ୍ୱୟ ମହାବିନାୟକ ପର୍ବତ। ଏହାର ସ୍ୱଚ୍ଛ ଝରଣା ଜଳ ଅତ୍ୟନ୍ତ ନିର୍ମଳ। ଜାଗର ମହାବିନାୟକଙ୍କର ସବୁଠାରୁ ବଡ଼ପର୍ବ। ଏଠାରେ ଯେଉଁ ନୈବେଦ୍ୟ ବଢ଼ାଯାଏ ତାହା ତିନି ଥାଳିରେ ବିଭକ୍ତ। ଗଣେଶ ଓ ସୂର୍ଯ୍ୟଙ୍କର ଗୋଟିଏ, ଶିବ ଓ ବିଷ୍ଣୁଙ୍କର ଗୋଟିଏ ଏବଂ ଦୁର୍ଗାଙ୍କର ଗୋଟିଏ- ଏହିପରି ତିନିଟି ଥାଳି ନୈବେଦ୍ୟ ବଢ଼ାଯାଇଥାଏ।
ଏହି ମନ୍ଦିରକୁ ନେଇ ଅନେକ ପ୍ରାଚୀନ କାହାଣୀ ଶୁଣିବାକୁ ମିଳେ। ‘ସାରଳା ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, ଏଠାରେ କୁନ୍ତୀ ଓ ଗାନ୍ଧାରୀ ଉଭୟ ଆସି ବିରଜେଶ୍ୱରଙ୍କୁ ପୂଜନ କରୁଥିଲେ। (ମହାଦେବଙ୍କ ନିକଟରେ ବୈତରଣୀ ତଟରେ ବିରଜା ଥିବାରୁ ବିନାୟକର ଶିବଙ୍କୁ ବିରଜେଶ୍ୱର କୁହାଯାଇଛି।) କିନ୍ତୁ ପ୍ରଥମେ ପୂଜା ସାରିଦେଉଥିବାରୁ ଗାନ୍ଧାରୀ କୁନ୍ତୀଙ୍କ ସହିତ କଳହ କଲେ। ଏହା ଦେଖି ସ୍ୱୟଂ ଶିବ ସର୍ତ୍ତ ରଖିଲେ, କାଲି ପ୍ରଭାତରେ ଯିଏ ପ୍ରଥମେ ସହସ୍ର ଚମ୍ପାରେ ମୋର ଶିବ ଲିଙ୍ଗ ପୂଜା କରିବ ସେ ହିଁ ପ୍ରଥମ ପୂଜାର ଅଧିକାର ପାଇବ। ଏଥିରେ କୁନ୍ତୀ ଦୁଃଖି ହୋଇଗଲେ ଏବଂ ଗାନ୍ଧାରୀ ଆନନ୍ଦିତା ହେଲେ। କିନ୍ତୁ ପରଦିନ, କୁନ୍ତୀଙ୍କ ପାଇଁ, ଇନ୍ଦ୍ରଙ୍କ ଆଦେଶରେ କୁବେର ଶତ ସହସ୍ର ସ୍ୱର୍ଣ୍ଣଚମ୍ପାରେ ମନ୍ଦିର ପୂର୍ଣ୍ଣ କରିଦେଲେ। କୁନ୍ତୀ ଆନନ୍ଦରେ ଶିବ ପୂଜା କଲେ। ଗାନ୍ଧାରୀ ଏହା ଦେଖି ଲଜ୍ଜିତା ହେଲେ।
କୁହାଯାଏ, ଏହି ଯେଉଁ ଚାରିମୂର୍ତ୍ତି ଓ ଏକ ନାରୀ ମୂର୍ତ୍ତି, ଏମାନେ ଚାରି ପାଣ୍ଡବ ଓ ମାତା କୁନ୍ତୀ। ଏମାନେ ବାରୁଣାବନ୍ତର ରାଜା ଥିଲେ ଏବଂ ସହଦେବ ଯେହେତୁ ଯୁଧିଷ୍ଠିରଙ୍କର ମନ୍ତ୍ରୀ ଥିଲେ ତେଣୁ ସେ ଛତିଆରେ ରହୁଥିଲେ। କାରଣ ଦର୍ପଣୀଗଡ଼ର ରାଜା ମହାବିନାୟକ ପର୍ବତର ନିମ୍ନରେ ରହୁଥିଲେ ଏବଂ ତାଙ୍କ ମନ୍ତ୍ରୀଙ୍କ ନିବାସ ଥିଲା ଛତିଆ।
ମନରେ ଶାନ୍ତି ଓ ଖୁସି ଆଣିବା ସହ ଅଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଏହି ସ୍ଥଳର ହେଉଛି ବିଶେଷତ୍ୱ । ଏଠାକାର ପ୍ରାକୃତିକ ପରିବେଶ ଓ ଅପୂର୍ବ ଶୋଭାରାଜି ଦର୍ଶକଙ୍କୁ ବିମୋହିତ କରିଥାଏ । ଥରେ ନୁହେଁ ବାରମ୍ବାର ପର୍ଯ୍ୟଟକଙ୍କୁ ଆସିବା ପାଇଁ ଆକୃଷ୍ଟ କରିଥାଏ ଏହି ପର୍ଯ୍ୟଟନ କ୍ଷେତ୍ର । ଏଥିସହ ମନ୍ଦିର ଚର୍ତୃପାଶ୍ୱର୍ରେ ସର୍ବଦା ରହୁଥିବା ମାଙ୍କଡ ଏବଂ ଝରଣା ହେଉଛି ଏଠାକାର ମୁଖ୍ୟ ଆକର୍ଷଣ । ଯେଉଁଥିପାଇଁ କି କେବଳ ପିକନିକ୍ ଋତୁ ନୁହେଁ ବର୍ଷସାରା ଏଠାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।