Latest Odisha News

ଭାରତ ଶରଣରେ ମୁଇଜୁ ସରକାର

ବଦଳିବାରେ ଲାଗିଛି ମାଲଡିଭିସ ସରକାରଙ୍କ ଭାରତ ବିରୋଧୀ ସ୍ୱର। ଭାରତ ବିରୋଧୀ ରାଜନୀତି କରି କ୍ଷମତାକୁ ଆସିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆଭିମୁଖ୍ୟ ନରମ ପଡିଛି । ଇଣ୍ଡିଆ ଆଉଟ୍ ନାରା ଦେଇ ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ ମୁଇଜୁ। ହେଲେ ଏମିତି କଣ ହେଲା ଯେ, ବଦଳିଗଲା ମୁଇଜୁଙ୍କ ସ୍ୱର? ମାଲଡିଭିସର ପ୍ରକୃତ ବନ୍ଧୁ କିଏ, ତାହା ଡେରିରେ ବୁଝିଲେ କି ମୁଇଜୁ?

ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମାଲଡିଭିସ ଗସ୍ତରେ ଯାଇଥିଲେ। ଭାରତ ମାଲଡିଭିସର ଘନିଷ୍ଠ ବନ୍ଧୁ ମଧ୍ୟରେ ଜଣେ ବୋଲି ମୁଇଜୁ ସରକାର ସ୍ୱୀକାର କରିବା ପାଇଁ ସଙ୍କୋଚ କରିନାହାନ୍ତି। କିଛି ଦିନ ପୂର୍ବେ ଭାରତ ଆସିଥିଲେ ରାଷ୍ଟ୍ରପତି ମୁଇଜୁ। ସେହିଦିନଠାରୁ ଭାରତ ପ୍ରତି ମାଲଡିଭିସର ଆଭିମୁଖ୍ୟ ନରମ ପଡିଛି। ମାଲଡିଭିସର ଅନୁରୋଧ ପରେ ହିଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଲେ ଗସ୍ତରେ ଯାଇଥିଲେ।

ମାଲଡିଭିସର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ବିଶେଷ କରି ଦେଶର ପର୍ଯ୍ୟଟନ ଶିଳ୍ପ କ୍ଷତିରେ ଚାଲୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗତବର୍ଷ ମାଲଡିଭିସର କିଛି ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ ପରେ ବୟକଟ୍ ମାଲଡିଭିସ୍ ଅଭିଯାନ ଆରମ୍ଭ ହୋଇଥିଲା। ମାଲଡିଭିସ ପରିବର୍ତ୍ତେ ଲାକ୍ଷାଦ୍ୱୀପକୁ ଅଧିକ ଗସ୍ତ ପାଇଁ ଭାରତୀୟ ପର୍ଯ୍ୟଟକଙ୍କୁ ଉତ୍ସାହିତ କରାଗଲା। ବୟକଟ୍ ମାଲଡିଭିସ ଅଭିଯାନ ଯୋଗୁଁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଲା। କ୍ଷତିଗ୍ରସ୍ତ ହେଲା ମାଲଡିଭିସର ପର୍ଯ୍ୟଟନ ଶିଳ୍ପ। ମାଲଡିଭିସର ଆର୍ଥିକ ସ୍ଥିତି ମାନ୍ଦା ପଡିଯିବାରୁ ଚେତିଥିଲେ ମୁଇଜୁ ସରକାର। ମନେପଡିଲା ଉଦାରବାଦୀ ଭାରତର ସାହାଯ୍ୟ ସହଯୋଗ ଓ ସହାୟତା।

କ୍ଷମତାକୁ ଆସିଲା ପରେ ଭାରତ ଉପରେ ନିର୍ଭରଶୀଳତା କମ୍ ପାଇଁ ପ୍ରୟାସ କରିଥିଲା ମୁଇଜୁ ସରକାର। ବିକଳ୍ପ ଭାବେ ତୁର୍କୀରୁ କିଣିଥିଲା ଖାଦ୍ୟସାମଗ୍ରୀ। ଡ୍ରୋନ୍ ବି ତୁର୍କୀରୁ ମଗାଇଥିଲା। କିନ୍ତୁ ଏସବୁ ସାମଗ୍ରୀ ଅତି ମହଙ୍ଗା ଦରରେ କିଣିଥିଲା ମାଲଡିଭିସ। ନିଜର ବାସ୍ତବ ସ୍ଥିତି ଜାଣିପାରିଥିଲା ମାଲଡିଭିସ। ମାଲଡିଭିସ ଉପରେ ବିଦେଶୀ ଋଣର ବୋଝ ଅଧିକ। ଭାରତ ସହ ସମ୍ପର୍କରେ ସୁଧାର ନ ଆଣିଲେ ଦେଶ ଆର୍ଥିକ ସଂକଟରୁ ବର୍ତ୍ତିପାରିବ ନାହିଁ ବୋଲି ମୁଇଜୁ ସରକାରଙ୍କ ଚେତା ପଶିଛି। ତେଣୁ ରାଷ୍ଟ୍ରପତି ମୁଇଜୁ ଏବେ ଇଣ୍ଡିଆ ଆଉଟ୍ ପରିବର୍ତ୍ତେ ଇଣ୍ଡିଆ ଇନ୍ ନୀତି ଆପଣାଇଛନ୍ତି।

ମାଲଡିଭିସ ଉପରେ ଚୀନ ଋଣ ବଢି ଚାଲିଛି। ଚୀନଠୁ ଅଧିକ ଆର୍ଥିକ ସହାୟତା ନେଲେ ଋଣ ଜାଲରେ ଫସି ବାହାରିବା ମୁସ୍କିଲ ବୋଲି ମାଲଡିଭିସ ସରକାର ଜାଣିପାରିଛନ୍ତି। ଭାରତର ଋଣ ସହାୟତା ନୀତି ଚୀନ୍ ଅପେକ୍ଷା କୋହଳ। ଭାରତ ଗତ କିଛିବର୍ଷ ମଧ୍ୟରେ ମାଲଡିଭିସରେ ୨୨୦ ମିଲିଅନ ଡଲାରର ପୁଂଜି ନିବେଶ କରିଛି।

ସାମରିକ ଦୃଷ୍ଟିକୋଣରୁ ମାଲଡିଭିସ ଭାରତ ପାଇଁ ଅନେକ ଗୁରୁତ୍ୱ ରଖେ। ଭୂରାଜନୀତିକ ସ୍ଥିରତା ଦୃଷ୍ଟିରୁ ମାଲଡିଭିସ ଭାରତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ଏହି ଅଂଚଳରେ ଚୀନର ବୃଦ୍ଧି ପାଉଥିବା ପ୍ରଭାବ ଭୂରାଜନୀତିକ ଅସ୍ଥିରତା ସୃଷ୍ଟି କରିପାରେ। ଭାରତକୁ ବିରୋଧ କରି ଭୂରାଜନୀତିକ ଅସ୍ଥିରତା ସୃଷ୍ଟି କରିବା ଚାହୁଁନାହିଁ ମାଲଡିଭିସ। ଭାରତର ବିରୋଧ ମାଲଡିଭିସ ପାଇଁ ହିତକର ନୁହେଁ ବୋଲି ମୁଇଜୁ ସରକାରଙ୍କ ଚେତା ପଶିଛି। ଏଥିରେ ହିଁ ରହିଛି ଭାରତର କୂଟନୈତିକ ସଫଳତା।

 

Comments are closed.