ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମମତା ବାନାର୍ଜୀଙ୍କ ଟିଏମସି ସହିତ ଜଡିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସି ସଂସ୍ଥାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଯାହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ମାନେ ଟିଏମସିର ଡକ୍ୟୁମେଣ୍ଟ ଚୋରି କରିଥିବା ନେଇ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ପରେ କାର୍ଯ୍ୟାଳୟରୁ କିଛି ଫାଇଲ୍ ବାହାର କରି ମମତା ବାନାର୍ଜୀଙ୍କ ଗାଡ଼ିରେ ରଖାଯାଇଥିଲା। ତେବେ ଏହି ଫାଇଲ ଗୁଡ଼ିକରେ କଣ ଏପରି ସୂଚନା ରହିଛି ଯେଉଁଥିପାଇଁ ଏଗୁଡ଼ିକୁ ତରବରିଆ ଭାବରେ କାର ଭିତରେ ରଖାଯାଇଥିଲା ତାହା ବର୍ତ୍ତମାନ ପ୍ରଶ୍ନର ବିଷୟ ପାଲଟିଛି।
ଇଡି କୋଲକାତାରେ ଥିବା ଆଇ-ପିଏସିର ଜଣେ ବରିଷ୍ଠ ଅଧିକାରୀ ପ୍ରତୀକ ଜୈନଙ୍କ ଘର ଏବଂ ସଲ୍ଟ ଲେକର ସେକ୍ଟର ଭିରେ ଥିବା ଗୋଦରେଜ୍ ୱାଟରସାଇଡ୍ ବିଲଡିଂରେ ଥିବା ଫାର୍ମର କାର୍ଯ୍ୟାଳୟରେ ଚଢାଉ କରିଛି। ପ୍ରତୀକ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ଦଳର ଜଣେ ପ୍ରମୁଖ ସଦସ୍ୟ ବୋଲି କୁହାଯାଉଛି।
ଏହି ଘଟଣା ପରେ ମମତା ବାନାର୍ଜୀ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ସବୁ କାର୍ଯ୍ୟ ଗୃହମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି ଓ ସେ ଦେଶକୁ ସୁରକ୍ଷିତ ରଖିବାର ଯୋଗ୍ୟ ନୁହନ୍ତି। ତେବେ ଅମିତ ଶାହ ମମତାଙ୍କ ଦଳର ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ କରିବାକୁ ଚାହୁଁଥିବା ନେଇ ମମତା କହିଛନ୍ତି। ଏଥିସହିତ SIR ମାମଲାରେ ନାମ କଟାଯାଉଥିବା ବେଳେ ସୁରକ୍ଷାକର୍ମୀ ନଥିବା ବେଳେ ସେମାନେ ତାଙ୍କ ଦଳର କାଗଜପତ୍ର ସଂଗ୍ରହ କରୁଥିବା ନେଇ ମମତା ଅଭିଯୋଗ କରିଛନ୍ତି। “ପ୍ରାର୍ଥୀମାନଙ୍କ ତାଲିକା, ଦଳର ରଣନୀତି ଏବଂ ଦଳର ଯୋଜନା ସଂଗ୍ରହ କରିବା ED ଏବଂ ଗୃହମନ୍ତ୍ରୀଙ୍କ କାମ କି”ବୋଲି ମମତା ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।