Latest Odisha News

BREAKING NEWS

ନିଆଁ ତାତିରେ ନରମିଲେ ମମତା, କହିଲେ ଏମିତି କିଛି  

କୋଲକାତା : କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବ୍ୟାକଫୁଟରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣା ନେଇ ଚାରିଆଡୁ ମମତାଙ୍କୁ ଜୋରଦାର ବିରୋଧ । ବିକ୍ଷୋଭ, ବିରୋଧ ଓ ସମାଲୋଚନାରେ ଘେରି ହୋଇଯାଇଛନ୍ତି ଦିଦି । ଏଣେ ଏକ ବିବାଦୀୟ ବୟାନ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ମମତା ବାନାର୍ଜୀ ।

ଦିଦିଙ୍କ ବିରୋଧରେ ହିଂସା ଉସୁକାଇବା ଅଭିଯୋଗ

ଅଭିଯୋଗ ହୋଇଥିଲା ଯେ, କାମବନ୍ଦ ଆନ୍ଦୋଳନ ଜାରି ରଖିଥିବା ଆର.ଜି କର ଜୁନିଅର ଡାକ୍ତରମାନଙ୍କୁ ଧମକ ଦେଇଥିଲେ ମମତା । ବୁଧବାର ବିଜେପିର ୧୨ ଘଂଟିଆ ବନ୍ଦ ପାଳନ ମଧ୍ୟରେ ଟିଏମସି ଛାତ୍ର ପରିଷଦର ସ୍ଥାପନା ଦିବସ ରାଲିକୁ ସମ୍ବୋଧନ କର ଡାକ୍ତରମାନଙ୍କୁ ମମତା ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ମମତା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, କିଛି ଲୋକ ପଶ୍ଚିମବଙ୍ଗକୁ ଅଶାନ୍ତ କରିବାକୁ ଷଡଯନ୍ତ୍ର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଙ୍ଗଳାରେ ନିଆଁ ଲଗାଇବା ପାଇଁ ବିଜେପିକୁ ବ୍ୟବହାର କରୁଛନ୍ତି । ଯଦି ବଙ୍ଗଳାରେ ନିଆଁ ଲାଗେ, ତାହା ହେଲେ ଆସାମ, ଉତ୍ତର-ପୂର୍ବ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଓ ଦିଲ୍ଲୀ ମଧ୍ୟ ଜଳିବ ବୋଲି ମମତା କହିଥିବା ଅଭିଯୋଗ ହୋଇଥିଲା । ମମତାଙ୍କ ଏଭଳି ବୟାନର କଡା ସମାଲୋଚନା କରିଥିଲା ବିଜେପି । ମମତା ବାନାର୍ଜୀ ହିଂସା ଉସୁକାଉଛନ୍ତି ବୋଲି ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର । ଏପରିକି ଜୁନିଅର ଡାକ୍ତରମାନଙ୍କୁ ମମତା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମମତାଙ୍କ ବୟାନକୁ ବିରୋଧ କରି ତାଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନଙ୍କ ସହ ତୁଳନା କରିଛି ବିଜେପି । ମମତାଙ୍କ ବୟାନକୁ ଓଡିଶା,ଆସାମ ସମେତ ବିଭିନ୍ନ ରାଜ୍ୟ ସରକାର ଜୋରଦାର ବିରୋଧ କରିଛନ୍ତି ।

ବିରୋଧ ପରେ ଦିଦିଙ୍କ ସ୍ପଷ୍ଟୀକରଣ

ଜୋରଦାର ବିରୋଧ ପରେ ସ୍ପଷ୍ଟୀକରଣ ରଖିଛନ୍ତି ମମତା ବାନାର୍ଜୀ । ଜୁନିଅର ଡାକ୍ତର ଓ ସେମାନଙ୍କ ଆନ୍ଦୋଳନ ବିରୋଧରେ ସେ ପଦେଟିଏ ବି କହିନାହାନ୍ତି । ତାଙ୍କ ବିରୋଧରେ ଜାଣିଶୁଣି ଅପପ୍ରଚାର କରାଯାଉଛି । ସେ ଡାକ୍ତରମାନଙ୍କୁ ଧମକଚମକ ଦେବା ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ମମତା କହିଛନ୍ତି । ସେ କେବଳ ବିଜେପି ବିରୋଧରେ କହୁଥିଲେ । କାରଣ କେନ୍ଦ୍ର ସରକାରଙ୍କ ସହାୟତାରେ ବିଜେପି ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଛି ।

ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ନେଇ ବିରୋଧୀଙ୍କ ଆପତ୍ତି

କୋଲକାତା କାଣ୍ଡ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ୍ତବ୍ୟ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ବିରୋଧୀ ଦଳ । ଦେଶର ରାଷ୍ଟ୍ରପତି କେବଳ କୋଲକାତା ଘଟଣାରେ ମନ୍ତବ୍ୟ ଦେବା ଠିକ୍ ହୋଇନାହିଁ ବୋଲି ବିରୋଧୀ ଦଳ କହିଛନ୍ତି । ରାଷ୍ଟ୍ରପତି କେବଳ କୋଲକାତା ଘଟଣା ନେଇ ଉଦବେଗ ପ୍ରକାଶ କରିବା କଥା ନୁହେଁ ବୋଲି କଂଗ୍ରେସ ନେତା ରମେଶ ଚେନ୍ନିଥାଲା କହିଛନ୍ତି । ମହାରାଷ୍ଟ୍ରର ବଦଲାପୁର ଦୁଷ୍କର୍ମ ଘଟଣା ନେଇ ମଧ୍ୟ ରାଷ୍ଟ୍ରପତି ଚିନ୍ତା ପ୍ରକାଶ କରିବା କଥା ବୋଲି ଚେନ୍ନିଥାଲା କହିଛନ୍ତି । ଆମ୍ ଆଦମୀ ପାର୍ଟି ମଧ୍ୟ ସମାନ କଥା କହିଛି । ଦୁଷ୍କର୍ମ ଓ ମହିଳା ବିରୋଧୀ ହିଂସା ଘଟଣାକୁ ନିନ୍ଦା କଲାବେଳେ ରାଷ୍ଟ୍ରପତି କୌଣସି ନିର୍ଦ୍ଦିଷ୍ଟ ଘଟଣା ବାବଦରେ ଉଲ୍ଲେଖ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟର ବରିଷ୍ଠ ନେତା ସଂଜୟ ସିଂହ ।

ବିଧାନସଭାରେ ପାସ ହେବ ଦୁଷ୍କର୍ମ ବିରୋଧୀ ବିଲ୍‌

କୋଲକାତା ଘଟଣା ନେଇ ଜନଆକ୍ରୋଶର ସାମନା କରୁଥିବା ମମତା ସରକାର ଦୁଷ୍କର୍ମକାରୀଙ୍କୁ ଦଣ୍ଡବିଧାନ ପାଇଁ ଏକ କଠୋର ଆଇନ ପ୍ରଣୟନ କରିବେ । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ସଂପର୍କିତ ଏକ ବିଲ୍ ପାସ୍ କରିବାକୁ ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ମମତା ସରକାର । ସେପଟେମ୍ବରେ ୨ରେ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ।

 

Comments are closed.