କେନ୍ଦୁଝର: ଭାଇ ସାଜିଲା ହତ୍ୟାକାରୀ । ଯେଉଁ ଭାଇ ହାତରେ ଦିନ ରାଖି ବାନ୍ଧିଥିଲା ସେହି ହାତରେ ଫୁଟାଇଲା ଗୁଳି । ଚାଲିଗଲା ଭଉଣୀ ଜୀବନ । ସାମାନ୍ୟ ଟଙ୍କା କେତେଟା ପାଇଁ ଭଉଣୀକୁ ଗୁଳିକରି ମାରିଦେଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ଶେଷରେ ଥାନାରେ ଆତ୍ମସମର୍ପଣ କରିଛି ଭାଇ ।
ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍ ମ୍ୟାନ୍ ଭାବେ କାର୍ଯ୍ୟ କରନ୍ତି। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀ ଅବିବାହିତ ଥିଲେ ଏବଂ ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ।
ପ୍ରସନ୍ନଙ୍କ ଦେହ ଅସୁସ୍ଥ ଥିଲା । ମେଡିସିନ ଆଣିବା ପାଇଁ ଟଙ୍କା ଦରକାର ପଡିଲା । ହେଲେ ସ୍ତ୍ରୀ ଘରେ ନଥିବାରୁ ସେ ଭଉଣୀଙ୍କୁ ପଇସା ମାଗିଥିଲେ। କିନ୍ତୁ ଭଉଣୀ ପଇସା ଦେଇ ନ ଥିଲେ । ଓଲଟା ଭାଇ ସହ ଝଗଡା କରିଥିଲେ ।
ଏଥିରେ ରାଗି ଯାଇଥିଲେ ପ୍ରସନ୍ନ । ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ଫଳରେ ଭଉଣୀଙ୍କର ଜୀବନ ଚାଲି ଯାଇଥିଲା । ଏହି ଘଟଣା ପରେ ନିଜେ ସେ ପୁଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି। ପୋଲିସ ପରିବାର ଲୋକଙ୍କୁ ମଧ୍ୟ ଜେରା କରୁଛି ।
Comments are closed.