ପଞ୍ଜାବ: ଏହାକୁ ଯେ କେହି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ୪୦ ବର୍ଷୀୟ ଜଣେ ଯୁବକଙ୍କ ପେଟ ଭିତରୁ ବାହାରିଛି ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସାମଗ୍ରୀ । ଅସ୍ତ୍ରୋପଚାର କରି ସମ୍ପୃକ୍ତ ଯୁବକଙ୍କ ପେଟରୁ ଏହିସବୁ ସାମଗ୍ରୀ ବାହାର କଲା ବେଳେ ନିଜେ ଡ଼ାକ୍ତରମାନେ ବି ହତ୍ବାକ୍ ହୋଇଯାଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ଘଟଣାଟି ଘଟିଛି ପଞ୍ଜାବର ମୋଗା ଅଞ୍ଚଳରେ । ଏଠାରେ ଜଣେ ୪୦ ବର୍ଷୀୟ ଯୁବକଙ୍କ ଦୁଇ ଦିନ ହେବ ପେଟ ଯନ୍ତ୍ରଣା ହେବା ସହ ଜ୍ୱରରେ ପୀଡ଼ିତ ହୋଇଥିଲେ । ଗୁରୁବାର ଯନ୍ତ୍ରଣା ଅସହ୍ୟ ହେବାରୁ ଘରଲୋକେ ତାଙ୍କୁ ମୋଗାସ୍ଥିତ ‘ମେଡିସିଟି ହସ୍ପିଟାଲ୍’ରେ ଭର୍ତ୍ତି କରିଲେ । ପ୍ରାଥମିକ ଚିକିତ୍ସା ପରେ ପେଟ ବିନ୍ଧା କମି ନ ଥିଲା । ପରେ ଡାକ୍ତରମାନେ ବାଧ୍ୟ ହୋଇ ‘ଏକ୍ସ-ରେ’ କରାଇଲେ । ଆଉ ଯାହା ଦେଖିଲେ, ସେଥିରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେସବୁ ସାମଗ୍ରୀ ବାହାର କରିବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କଲେ । ଦୀର୍ଘ ୩ ଘଣ୍ଟାକାଳ ଅସ୍ତ୍ରୋପଚାର କରି ସେମାନେ ତାଙ୍କ ପେଟରୁ ପ୍ରାୟ ସବୁ ସାମଗ୍ରୀ ବାହାର କରିବାରେ ସଫଳ ହୋଇଥିଲେ । ସେମାନେ ବାହାର କରିଥିବା ସାମଗ୍ରୀ ଭିତରେ ରହିଛି ‘ଇୟରଫୋନ୍’, ‘ୱାସର’, ‘ନଟ୍-ବୋଲ୍ଟ୍’, ‘ତାର’, ‘ରାଖି’, ‘ଲକେଟ୍’, ‘ବୋତାମ’, ‘ରାପର’, ‘ମୁଣ୍ଡକଣ୍ଟା’, ‘ଜିପର ଟ୍ୟାଗ୍’, ‘ବାଟି’ ଓ ‘ସେଫ୍ଟି ପିନ୍’ ଇତ୍ୟାଦି ।
ହସ୍ପିଟାଲ୍ର ନିର୍ଦେଶକ ଡାକ୍ତର ଆଜ୍ମେର କାଲ୍ରା କହିଛନ୍ତି ଯେ, ଦୀର୍ଘ ୨ ବର୍ଷ ହେଲା ଉକ୍ତ ଯୁବକଙ୍କ ପେଟ କାଟୁଥିଲା । ହେଲେ ଅସହ୍ୟ ହେବାରୁ ସେ ଡ଼ାକ୍ତରଖାନା ଆସିଥିଲେ । ତାଙ୍କ ପେଟରୁ ଏତେସବୁ ସାମଗ୍ରୀ ବାହାର କରିବା ଦେଖିବା ପରେ ଡ଼ାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ବି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । କାରଣ, ଏତେ ସବୁ ଜିନିଷ ପେଟ ଭିତରେ ପଶି ରହି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିସାରିଛିି ।
Comments are closed.