Latest Odisha News

BREAKING NEWS

୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉଦ୍ଦ୍‍ଘାଟନୀ ଉତ୍ସବ

ଓଡ଼ିଶୀ ନୃତ୍ୟ ସହିତ ମନ ମୋହିଲା ମୋହନ ବିଣାବାଦନ

ଭୁବନେଶ୍ୱର: ୧୬ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଘାଟିତ ହୋଇଯାଇଅଛି । ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ତ୍ରିଧାରା ଏକ ଅଗ୍ରଣୀ ଅନୁଷ୍ଠାନ ଯାହା ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ସମର୍ଥନ କରେ । ଏହି ପୁରସ୍କାର ଉତ୍ସବର ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ କିମ୍ବଦନ୍ତୀ ଗୁରୁ ତଥା ଯୁବଶିଳ୍ପୀମାନଙ୍କୁ ସମ୍ମାନ ପ୍ରଦାନ କରିବା ତଥା ସେମାନଙ୍କର କଳାର ପ୍ରଚାର ଓ ପ୍ରସାର କରିବା  । ଏଥି ସହିତ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର ଆଦିବାସୀ ନୃତ୍ୟ, ଲୋକ ନୃତ୍ୟ, ପାରମ୍ପାରିକ ନୃତ୍ୟ କ୍ଷେତ୍ରରେ ଗୁରୁ ଦେବପ୍ରସାଦ ଦାସଙ୍କ ଘରାନାକୁ ପ୍ରଚାର ଓ ପ୍ରସାର କରିବା ।

ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ତ୍ରିଧାରାର ବରିଷ୍ଠ ଓ କନିଷ୍ଠ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ଲକ୍ଷ୍ମୀ ଅଷ୍ଟକମ୍‍ ଯାହା ଗରୁଡ଼ ପୁରାଣରୁ ଉଦ୍ଧୃତ ଏବଂ ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ଦେବୀ ମହାଲକ୍ଷ୍ମୀଙ୍କର ପ୍ରଶଂସା କରି ଏହା ଜପ କରାଯାଇଥିଲା । ଦେବୀ ଲକ୍ଷ୍ମୀ ହେଉଛନ୍ତି ହିନ୍ଦୁମାନଙ୍କର ଧନ ଓ ସମୃଦ୍ଧିର ଦେବୀ । ମାଣବସା ଗୁରୁବାର ଦିନ ଘରେ ଘରେ ଏହି ସ୍ତୃତିକୁ ଗାନ କରାଯାଏ । ଏହି ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ଶବ୍ଦ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା ।

ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଭାରତ ମାତାଙ୍କ ଉପରେ ସମ୍ମର୍ପିତ ଓଡ଼ିଶୀ ନୃତ୍ୟ ବନ୍ଦେ ମାତରମ୍‍ ଯାହା ଆଜାଦି କା ଅମ୍ରିତ୍‍ ମହୋତ୍ସବ ଉପରେ ଆଧାରିତ ଥିଲା । ଏହି ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁଣ୍ଡୁ, ବାଦ୍ୟ ସଂଯୋଜନା କରିଥିଲେ ସୁରେନ୍ଦ୍ର ମହାରଣା ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା । ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟାନୁଗ୍ରହ, ଶରୀରର ଗତିବିଧି ଦ୍ୱାରା ଚମତ୍କାର ପରିବେଷଣ ଏବଂ ଚିତ୍ତାକର୍ଷକ ଅଙ୍ଗଭଙ୍ଗୀ ନୃତ୍ୟ ମାଧ୍ୟମ ରେ ବେଶ୍‍ ବାରି ହେଉଥିଲା ।

ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ପଣ୍ଡିତ ବିଶ୍ୱମୋହନ ଭଟ୍ଟ ଓ ତାଙ୍କ ନାତି ଅଥର୍ବ ଭଟ୍ଟଙ୍କ ଦ୍ୱାରା ମୋହନ ବିଣାବାଦନ । ତାଙ୍କ ବାଦନରେ ଥିଲା ରାଗ ଶ୍ୟାମ କଲ୍ୟାଣ ଉପରେ ଆଧାରିତ ଆଳାପ ଝୋଡ଼ ଝାଲ, ରାଗ ବିଲମ୍ବିତ ତାଳ ତ୍ରୀତାଲ ଓ ରାଗ ଧୃତ୍‍ ତାଳ ତ୍ରୀତାଲ । ତାଙ୍କୁ ତବଲାରେ ପ୍ରଶ୍ନୋଜିତ୍‍ ପୋଦାର ସହଯୋଗ କରିଥିଲେ । ତାଙ୍କର ମୋହନ ବିଣାବାଦନ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକ ମାନଙ୍କର ମନ ମୋହିବା ସହିତ କରତାଳି ସାଉଣ୍ଟିବାରେ ସକ୍ଷମ ହୋଇଥିଲେ ।
ଉଦ୍‍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା; ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ତଥା ମୋହନ ବିଣାବାଦକ ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଦିପ୍ତୀ ମିଶ୍ର, ବିଶିଷ୍ଟ ତବଲାବାଦକ  ପ୍ରଶ୍ନୋଜିତ୍‍ ପୋଦାର, ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ  ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା । କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ।

Leave A Reply

Your email address will not be published.