ପୁରୀ: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ରାମଲୀଳା ପ୍ରଦର୍ଶନ ସମୟରେ ମଞ୍ଚ ଉପରକୁ ବୋମା ମାଡ଼। ବୋମା ମାଡ଼ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର। ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ।
ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସଦର ଥାନା ଅଧିନ ସାହାଣୀକେରା ଗ୍ରାମର ସୁକାନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ସୂଚନା ଅନୁସାରେ ମା’ ବିନ୍ଧେଶ୍ବରୀ ରାମନାଟ୍ୟ ସଂସଦ ପକ୍ଷରୁ ରାମଲୀଳା ପରିବେଷଣ କରାଯାଉଥିଲା। ତେବେ ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ବେଳେ ମଞ୍ଚରେ ଗଣେଶ ବନ୍ଦନା ଚାଲିଥିଲା। ରାମଚନ୍ଦ୍ରଙ୍କ ବେଶରେ ଥିବା କାର୍ତ୍ତିକ ପ୍ରଧାନଙ୍କ ସହ ମଞ୍ଚରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ଓ ସୀତାଙ୍କ ବେଶରେ ରଶ୍ମିତା ସ୍ବାଇଁ ଉପସ୍ଥିତ ଥିଲେ।
ହଠାତ ଭିଡ଼ ଭିତରୁ ମଞ୍ଚରେ ଥିବା ରାମ ବେଶଧାରୀଙ୍କ ଉପରକୁ ଦୁର୍ବୃତ୍ତ ବୋମାମାଡ କରିଥିଲେ। ସେହି ସମୟରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ସାମ୍ନାକୁ ଆସିବାରୁ ବୋମାଟି ତାଙ୍କ ଡାହାଣ ହାତ କହୁଣୀରେ ମାଡ଼ ହୋଇଥିଲା। ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ରାମଲୀଳା ଅନୁଷ୍ଠାନ ପରିଚାଳକ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ଦୁର୍ବୃତ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉକ୍ତ ଘଟଣାର ତଦନ୍ତ କରାଯିବ। ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ସୂଚନା ଦେଇଛି।
Comments are closed.