Latest Odisha News

ଯାହାକୁ ଦଇବ ସାହା…୫ ଦିନ ପରେ ମଝି ସମୁଦ୍ରରୁ ଜୀବନ୍ତ ଉଦ୍ଧାର

କୋଲକାତା: କଥାରେ ଅଛି, ‘ଯାକୋ ରଖେ ସାଇଁୟା, ମାର ସକେ ନା କୋଇ’ । ସେଭଳି ସ୍ଥଳରେ ତାକୁ ବା ଏଇ ଗଭୀର ସମୁଦ୍ର କିପରି ଗିଳିପାରିବ । ୫ଦିନ ପରେ ବି ସମୁଦ୍ର ମଝିରୁ ଜୀବନ୍ତ ଉଦ୍ଧାର ହେଲେ । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରୁ । ହଳଦିଆ ଅଞ୍ଚଳରେ ଟ୍ରଲର ଲେଉଟିବାରୁ ସମୁଦ୍ର ଭିତରକୁ ଖସିପଡିଥିଲେ ମତ୍ସଜୀବି । ଆଉ ଟ୍ରଲର ଓଲଟିବାର ୫ ଦିନ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ତେବେ ବାଙ୍ଗଲାଦେଶରେ ଏମଭି- ଜଓ୍ବାଦେର ନାମକ ଏକ ଜାହାଜ ସମୁଦ୍ର ମଝିରେ ଯାଉଥିବା ବେଳେ ଉକ୍ତ ମତ୍ସଜୀବିଙ୍କୁ ଉଦ୍ଧାର କରିଛି । ଏହି ଜାହାଜଟି ସମୁଦ୍ର ମଝିରେ ଯାଉଥିବା ବେଳେ ଏହାର କ୍ୟାପଟେନ ଉକ୍ତ ମତ୍ସଜୀବିଙ୍କୁ ଭାସୁଥିବାର ଦେଖିଥିଲେ । ଏହାପରେ ତାଙ୍କୁ ଲାଇଫ ଜ୍ୟାକେଟ ପିନ୍ଧାଇ ସମୁଦ୍ରରୁ ଉଦ୍ଧାର କରିଥିଲେ । ଉଦ୍ଧାର ମତ୍ସଜୀବି ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳର ରବିନ୍ଦ୍ର ନାଥ ଦାସ ବୋଲି ଜଣାପଡିଛି ।

ରବିନ୍ଦ୍ରଙ୍କ କହିବା ଅନୁଯାୟୀ, ଗତ ୮ ଦିନ ତଳେ ସେ ତାଙ୍କର ୧୫ ଜଣ ସାଥିଙ୍କ ସହ ଏକ ଟ୍ରଲର ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମାତ୍ର ହଠାତ୍ ଏକ ସାମୁଦ୍ରିକ ଝଡରେ ଟ୍ରଲର ଲେଉଟିବା ପରେ ସମସ୍ତେ ଏଣେତେଣେ ଭାସି ଯାଇଥିଲେ । ଏହାପରେ ରବିନ୍ଦ୍ର ମଝି ସମୁଦ୍ରରେ ପହଁରିବାକୁ ଲାଗିଥିଲେ । ପରେ ତାଙ୍କର ପକେଟରେ ଥିବା ଲାଇଫତ ଜ୍ୟାକେଟ ଖୋଲି ସେ ପିନ୍ଧି ସମୁଦ୍ରରେ ଭାସିବାକୁ ଲାଗିଥିଲେ । ପ୍ରାୟ ୫ ଦିନ କାଳ ସେ ସେହି ସମୁଦ୍ରରେ ଅଖିଆ ଅପିଆ ଭାସିରହିଥିଲେ । ମନରେ କେବଳ ଦୃଢ ଆଶା ଥିଲା ତାଙ୍କୁ ରକ୍ଷା କରିବା ପାଇଁ ନିଶ୍ଚୟ କେହି ନା କେହି ଆସିବେ । ଆଉ ବାସ୍ତବରେ ସେଇଆ ହେଲେ । ୫ ଦିନ ପରେ ସେଇ ବାଟ ଦେଇ ବାଙ୍ଗଲାଦେଶର ଏକ ଜାହାଜ ଯାଇଥିବା ବେଳେ ଉକ୍ତ ଜାହାଜ ରବିନ୍ଦ୍ର କୁ ଉଦ୍ଧାର କରିଥିଲା ।

Comments are closed.