Latest Odisha News

ସହିପାରିଲେନି ପତ୍ନୀଙ୍କ ଛାଡ଼ପତ୍ର; ଚଳନ୍ତା ଟ୍ରେନରେ ଲଗାଇଦେଲେ ନିଆଁ

ସିଓଲ: ପତ୍ନୀଙ୍କ ସହ ଛାଡ଼ପତ୍ରକୁ ସହି ନ ପାରି ଚଳନ୍ତା ଟ୍ରେନ ରେ ଲଗାଇଲେ ନିଆଁ। ଦକ୍ଷିଣ କୋରିଆ ସିଓଲରୁ ଜଣେ ବ୍ୟକ୍ତିଙ୍କ ଏପରି ଏକ ଆଶ୍ଚର୍ଯ୍ୟଜନକ କାରନାମା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜଣେ ୬୭ ବର୍ଷୀୟ ବ୍ୟକ୍ତି ୱାନ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ଏବଂ ଛାଡପତ୍ରକୁ ନେଇ ରାଗରେ ଥିଲେ। ଯାହା ପରେ ସିଓଲର ଏକ ଚଳନ୍ତା ମେଟ୍ରୋରେ ଯାତ୍ରା କରୁଥିବା ବେଳେ ଏକ ବଗିରେ  ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ। ଏହି ଭୟଙ୍କର ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ନିଆଁ ଲଗାଇବା ପୂର୍ବରୁ ସେ ନିଜ ପୋଷାକ ମଧ୍ୟ ପୋଡ଼ି ଦେଇଥିଲେ ଏବଂ ଏହା ଦ୍ଵାରା ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି।

ଏହି ଅଗ୍ନିକାଣ୍ଡରେ ୨୨ ଜଣ ଆହତ ହୋଇଥିବା ବେଳେ ୧୨୯ ଜଣଙ୍କୁ ଘଟଣାସ୍ଥଳରେ ହିଁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତେବେ ଏହି ଦୁର୍ଘଟଣାରେ  କାହାର ମୃତ୍ୟୁ ହୋଇନଥିବା ଜଣା ପଡ଼ିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ବଗି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଯାହା ମୂଲ୍ୟ ୩୩୦ ମିଲିୟନ ୱାନ୍ (ପ୍ରାୟ ୨ କୋଟି ଟଙ୍କା) ହୋଇଥିବା ଆକଳନ କରାଯାଇଛି। ଏହି ଅଗ୍ନିକାଣ୍ଡ ପରେ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଏହି ଅଗ୍ନିକାଣ୍ଡର ଭିଡିଓ ମେଟ୍ରୋରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ୍ ସୁଦ୍ଧା ୬୯ ଲକ୍ଷରୁ ଅଧିକଥର ଦେଖାଯାଇସାରିଲାଣି।

 

Comments are closed.