ନୂଆଦିଲ୍ଲୀ: କୋଭିଡ-19 ଚିନ୍ତା ପୁଣି ଫେରିଛି । ଓମିକ୍ରନର ଏକ ନୂଆ ସବ ଭାରିଆଣ୍ଟ ଏକ୍ସବିବିର ପ୍ରଥମ କେସ୍ ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଲୋକମାନଙ୍କୁ ସଚେତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂଜା ଋତୁରେ ଏହାକୁ କିପରି ରୋକି ହେବ ସେ ନେଇ ଦିଶା ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି । ବୈଠକରେ କୋଭିଡ-୧୯ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ, ଏନଟିଏଜିଆଇର ଅଧ୍ୟକ୍ଷ ଏନକେ ଅରୋରା ଏବଂ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ନୂଆ ଭାରିଆଣ୍ଟକୁ ନେଇ ସବୁ ଲୋକ କିପରି ସତର୍କ ରହିବେ, ଏହାକୁ ବ୍ୟାପିବାରୁ କିପରି ରୋକିହେବ ସେନେଇ ବିଚାର ବିମର୍ଶ କରାଯାଇଥିଲା । ଏହି ଭାରିଆଣ୍ଟର ଶିକାର ଲୋକ ସାର୍ବଜନିକ ସ୍ଥାନକୁ ନଯିବା ପାଇଁ ସଚେତନ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ପାର୍ବଣ ସମୟରେ ପୀଡିତ ଲୋକଙ୍କୁ ଯଥାସମ୍ଭବ ସାର୍ବଜନିକ ସମ୍ପର୍କରୁ ଦୂରରେ ରହିବା ପାଇଁ କୁହାଯାଇଛି ।
Comments are closed.