Latest Odisha News

BREAKING NEWS

ମହିଳା କ୍ରିକେଟ: ରେକର୍ଡ ଉପରେ ରେକର୍ଡ କରି ଚାଲିଛନ୍ତି ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ମହିଳା ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଦ୍ୱିତୀୟ ଦିନିକିଆରେ ଭାରତର ସ୍ମୃତି ମାନ୍ଧନା ଶତକ ହାସଲ କରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସ୍ମୃତି କ୍ରମାଗତ ୨ଟି ଦିନିକିଆରେ ଶତକ ମାରିଛନ୍ତି । ସେ ସର୍ବାଧିକ ଦିନିକିଆ ଶତକ ହାସଲରେ ଭାରତର ମିଥାଲୀ ରାଜଙ୍କ ରେକର୍ଡ ସହ ମଧ୍ୟ ସମକକ୍ଷ ହୋଇଛନ୍ତି । ମିଥାଲୀ ୭ଟି ଶତକ ମାରିଥିଲେ । ସ୍ମୃତି ଆଉ ଗୋଟିଏ ଶତକ ମାରିଲେ ତାଙ୍କ ରେକର୍ଡ ଭଙ୍ଗ କରିବେ । ମିଥାଲୀ ଏଥିପାଇଁ ୨୧୧ ମ୍ୟାଚ ଖେଳିଥିବା ବେଳେ ସ୍ମୃତି ମାତ୍ର ୮୪ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ଭାରତର କୌଣସି ମହିଳା ଖେଳାଳି କ୍ରମାଗତ ମ୍ୟାଚରେ ୨ଟି ଶତକ ମାରି ନ ଥିଲେ ।

ସ୍ମୃତି ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସେ ୧୮ ଚୌକା ଓ ୨ ଛକା ବଳରେ ୧୨୦ ବଲରୁ ୧୩୬ ରନ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ୨୦୧୮ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୫ ରନର ଇନିଂସ ଖେଳିଥିଲେ । ସ୍ମୃତିଙ୍କ ଚମତ୍କାର ଶତକ ବଳରେ ଭାରତ ୩୨୬ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଖବର ପ୍ରକାଶ ବେଳକୁ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ୱିକେଟ ହରାଇ ୯୩ ରନ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Comments are closed.