Latest Odisha News

ଡିସେମ୍ବର ୧୩ରୁ ଜାନୁଆରୀ ୧୩ ଯାଏ ପିସିସି କିଷାନ କଂଗ୍ରେସର ମଣ୍ଡିଚାଲ ଅଭିଯାନ

ଭୁବନେଶ୍ୱର: ଚାଷୀଙ୍କୁ ହକ୍ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ। କେନ୍ଦ୍ର ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ଧାନକିଣା ଓ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି କଂଗ୍ରେସ। ଏଥିପାଇଁ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ବାନ ଦିଆଯାଇଛି । ୭ ଦଫା ଦାବି ପୂରଣ ପାଇଁ ଏହି ଅଭିଯାନ ଚାଲିବ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି। ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ପର୍ଯ୍ୟାୟରେ ଏକମାସ ଯାଏ ମଣ୍ଡିଚାଲ ଅଭିଯାନ ଆରମ୍ଭ ହେବ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଚାଷ ବିପର୍ଯ୍ୟସ୍ତ । ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ୩୫ପ୍ରତିଶତ ଜଳସେଚନ କେବଳ ଧୂଆଁବାଣ । ଧାନର ଏମ.ଏସ.ପି ଆଜି ପର୍ଯ୍ୟନ୍ତ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ। ଏମ.ଏସ.ପିକୁ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ। ବିଳମ୍ବ ନକରି କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ.ଏସ୍.ପି.କୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ଦାବି କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଧାନ କ୍ବିଣ୍ଟାଲରେ ଚାଷୀଙ୍କୁ ୬୦୦ ଟଙ୍କା ବୋନସ୍, କଟନୀ ଛଟ୍‌ନୀ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି କହିଛନ୍ତି ପିସିସି ସଭାପତି । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଓ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ ଓ ଭାଗ ଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି ୭ ଦଫା ଦାବି ପୂରଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରିବା ସହ ସରକାର ଚାଷୀଙ୍କ ହକ୍ ପୂରଣ ନ କଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.