Latest Odisha News

ଗୁଜରାଟ ଗ୍ରେଟ୍ସକୁ ହରାଇଲା ମଣିପାଲ

ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ମଣିପାଲ ଟାଇଗର୍ସ ୫ ୱିକେଟରେ ଗୁଜରାଟ ଗ୍ରେଟ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୯.୪ ଓଭରରେ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମଦ କୈଫ ଦଳ ପକ୍ଷରୁ ସର୍ବାଧିକ ୩୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୀକେଗୁ ପ୍ରସନ୍ନା ୨୦(୯ବଲରୁ) ଓ କ୍ରିସ ଗେଲ ୫ ବଲରୁ ୧୪ ରନ ସଂଗ୍ରହ କରିଥିଲେ । ମଣିପାଲର ମାନନ ଶର୍ମା ୩ଟି ଓ ସୀକେଗୁ ପ୍ରସନ୍ନା ୨ଟି ୱିକେଟ ନେଇଥିଲେ ।

ମଣିପାଲ ୧୭ ଓଭରରେ ୫ ୱିକେଟ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଥିସରା ପେରିରା ୨୨ ବଲରୁ ୩୮ ରନ କରି ଅପରାଜିତ ରହିଥିଲେ । ମନୋଜ ତିୱାରୀ ୨୯ ଓ ଓବୁସ ପାଇନାର ୨୧ ରନ କରିଥିଲେ । ବିପକ୍ଷ ଦଳର ପ୍ରବୀଣ ଗୁପ୍ତା ୨ଟି ଏବଂ ଥିସରା ଓ ଆସଲେ ଗୁଣରତ୍ନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ମଣିପାଲ ଟାଇଗର୍ସ ୬ ମ୍ୟାଚରୁ ୪ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ଗୁଜରାଟ ଗ୍ରେଟ୍ସ ୫ ମ୍ୟାଚରୁ ୩ ପଂଏଟ ପାଇ ୬ଷ୍ଠ ସ୍ଥାନରେ ରହିଛି । ସଦର୍ଣ୍ଣ ସୁପରଷ୍ଟାର୍ସ ୧୦ ପଂଏଟ ସହ ଶୀର୍ଷରେ ରହିଥିବା ବେଳେ କୋଣାର୍କ ସୂର୍ଯ୍ୟାସ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରବୀଣ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.