ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ଦ୍ୱିପ୍ରହରରେ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ମାମଲାରେ ଶୁଣାଣି ପରେ କୋର୍ଟ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। କୋର୍ଟରେ ହାଜର ପୂର୍ବରୁ ସିସୋଦିଆଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଥିଲା। କୋର୍ଟ ଏହାକୁ ମଞ୍ଜୁର କରିଛନ୍ତି। ଫଳରେ ସିସୋଦିଆ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ।
ଆଜି ଶୁଣାଣି ବେଳେ କୋର୍ଟରେ ସିବିଆଇ କହିଥିଲା ଯେ ଦିଲ୍ଲୀ ମଦ ନୀତିରେ କମିଶନକୁ ୫ କୋଟିରୁ ବଢ଼ାଇ ୧୨ କୋଟି ବଢ଼ାଇ ଦିଆଯାଇଥିଲା। ମନୀଷଙ୍କ ନିର୍ଦ୍ଦେଶରେ ଏପରି ହୋଇଥିଲା। ତେଣୁ ପଚରାଉଚରା ପାଇଁ ୫ ଦିନର ରିମାଣ୍ଡରେ ନେବା ଆବଶ୍ୟକ ପଡ଼ୁଛି। ହେଲେ ସିବିଆଇର ତର୍କକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣା।
କୃଷ୍ଣା କହିଛନ୍ତି ଯେ କମିଶନ ବଢ଼ାଇବ ଘଟଣାର ଉପରାଜ୍ୟାପାଳଙ୍କ ନିଷ୍ପତ୍ତିରେ ହୋଇଥିଲା। ତାଙ୍କ ଜାଣତରେ ସବୁକିଛି ଘଟିଛି। ତେଣୁ ରିମାଣ୍ଡରେ ନେବାର କୌଣସି ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ସିସୋଦିଆ ଯାଞ୍ଚରେ ସହଯୋଗ କରୁନଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। କାରଣ କେଜରିୱାଲ୍ଙ୍କୁ ଯେତେବେଳେ ସିବିଆଇ ଡାକିଛି ସେ ସେତେବେଳେ ଉପସ୍ଥିତ ରହିଛନ୍ତି। ମଦ ନୀତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ବୋଲି ଦୟାନ କୃଷ୍ଣା କୋର୍ଟରେ ତର୍କ ରଖିଥିଲେ।
ଆଜି ସିସୋଦିଆଙ୍କ ପକ୍ଷରୁ ୩ ଜଣ ଓକିଲ କୋର୍ଟରେ ଉପସ୍ଥିତ ରହିଥିଲେ। ମାମଲାରେ ଶୁଣାଣି ପରେ କୋର୍ଟ ରିମାଣ୍ଡ ଶୁଣାଣିକୁ ସୁରକ୍ଷିତ ରଖିଥିଲେ। ପରେ ସିବିଆଇ ତର୍କରେ ସହମତି ପ୍ରକାଶ କରି ସିସୋଦିଆଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ସୂଚନା ଥାଉକି ଏହା ପୂର୍ବରୁ ମଦ ଦୁର୍ନୀତିକୁ ନେଇ ରବିବାର ସିବିଆଇ ସିସୋଦିଆଙ୍କୁ ୮ ଘଣ୍ଟା ଜେରା କରିବା ପରେ ଗିରଫ କରି ମୁଖ୍ୟାଳୟରେ ରଖିଥିଲା। ଆଜି ତାଙ୍କର ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
Comments are closed.