Latest Odisha News

ଦୁଇଟି ପଦକ, ଅନେକ ରେକର୍ଡ

ନୂଆଦିଲ୍ଲୀ: ମାତ୍ର ତିନି ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ନିରାଶ ହୋଇ ଖାଲି ହାତରେ ଫେରିଥିଲେ ସୁଟର ମନୁ ଭାକର । ମନୁଙ୍କଠାରୁ ପଦକ ଆଶା ରଖିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଭାଗ୍ୟ ସାହାରା ହେଲା ନାହିଁ । ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଭାଗ ନେଉଥିବା ବେଳେ ଜାମ୍ ହୋଇଯାଇଥିଲା ଗନ୍ । ଆଉ ଦୁଇଟି ଇଭେଂଟରେ ମଧ୍ୟ ନିରାଶ ହୋଇଥିଲେ ମନୁ ଭାକର ।

ଏବେ ପ୍ୟାରିସ ଅଲିମ୍ପିକ୍ସରେ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଅଲଗା । ଗୋଟିଏ ନୁହେଁ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ୨୨ ବର୍ଷିୟା ମନୁ ଭାକର । ସୃଷ୍ଟି କରିଛନ୍ତି ଏକାଧିକ ରେକର୍ଡ । ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଂଟରେ ବ୍ରୋଞ୍ଜ ଜିତି ଭାରତ ପାଇଁ ପଦକ ଖାତା ଖୋଲିବା ପରେ ଆଉ ଏକ ପଦକ ଜିତିଛନ୍ତି ମନୁ ଭାକର । ଦଳୀୟ ସାଥୀ ସରବଜୋତ୍ ସିଂହଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜି ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ହରିୟାଣା ସୁଟର ।

ସ୍ୱାଧୀନତା ପରେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ଭାକର । ଷ୍ଟାର ସଟଲର ପି.ଭି ସିନ୍ଧୁ ମଧ୍ୟ ଏକାଧିକ ଅଲିମ୍ପିକ୍ସ  ପଦକ ଜିତିଛନ୍ତି । କିନ୍ତୁ ଗୋଟିଏ ଅଲିମ୍ପିକ୍ସରେ ଏକରୁ ଅଧିକ ପଦକ ଜିତିବାରେ ମନୁ ଭାକର ସ୍ୱାଧୀନ ଭାରତର ପ୍ରଥମ କ୍ରୀଡାବିତ ହୋଇଛନ୍ତି ।

 ଆସନ୍ତୁ ନଜର ପକାଇବା ପ୍ୟାରିସରେ ସୁଟିଂ ସେନସେସନ ମନୁ ଭାକର କ’ଣ ସବୁ ରେକର୍ଡ କରିଛନ୍ତି ?

  • ୨୦ ବର୍ଷ ପରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଭାବେ ଏକ ଅଲିମ୍ପିକ ସୁଟିଂ ଫାଇନାଲରେ ପହଞ୍ଚିଥିଲେ ।
  • ପ୍ରଥମ ମହିଳା ଭାରତୀୟ ସୁଟର ଭାବେ ମନୁ ଭାକର ଅଲିମ୍ପିକ୍ସ ପଦକ ଜିତିଛନ୍ତି ।
  • ଏୟାର ପିସ୍ତଲ ଇଭେଂଟରେ ଅଲିମ୍ପିକ ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ।
  • ସ୍ୱାଧୀନତା ପରେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ।
  • ପ୍ରଥମ ଭାରତୀୟ ସୁଟର ଭାବେ ଦୁଇଟି ଅଲିମ୍ପିକ ପଦକ ଜିତିଛନ୍ତି ମନୁ ଭାକର ।
  • ଅଲିମ୍ପିକ୍ସରେ ଉଭୟ ବ୍ୟକ୍ତିଗତ ଓ ଟିମ୍ ଇଭେଂଟରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ଭାକର ।

 

 

Comments are closed.