Latest Odisha News

ଅଳ୍ପକେ ବର୍ତ୍ତିଲେ ଯବାନ, ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ହେଲେ ଏହି ଅଭିଯାନ ବେଳେ ଅଳ୍ପକେ ବର୍ତ୍ତିଲେ ଯବାନ। ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ।

ସୂଚନା ଅନୁସାରେ କୋଟଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମ ସନ୍ନିକଟ ଲାସେରି ସଂରକ୍ଷିତ ଜଙ୍ଗଲରେ ସିଆର୍‌ପିଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନମାନେ ମିଳିତ କମ୍ବିଂ ଅପରେସନ୍‌ ଚଳାଇଥିଲେ। ଏହି ସମୟରେ ଲ୍ୟାଣ୍ଡ୍‌ମାଇନ୍‌ ଏବଂ ଟିଫିନ୍‌ ବୋମା ଠାବ ହୋଇଛି। ଯବାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀ ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। ତେବେ ଯବାନମାନେ ଏସ୍‌ଓପି ପାଳନ କରି ଅତ୍ୟନ୍ତ ସତର୍କତାର ସହ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହି ସମୟରେ ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି।

ଯବାନଙ୍କୁ ଟାର୍ଗେଟ୍‌ କରି ଲାଲବାହିନୀ ଲ୍ୟାଣ୍ଡମାଇନ ବିଛାଇଥିଲା ଓ ଟିଫିନ୍‌ ବୋମା ଖଞ୍ଜିଥିଲା। ଯବାନ ଓ ଡଗ୍‌ ସ୍କ୍ବାଡ୍‌ ସହାୟତାରେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଛି। କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ବଂଶଧାରା-ଘୁମୁସର- ନାଗାବଳୀ (ବିଜିଏନ୍‌) ମାଓ ଡିଭିଜନ୍‌ ସକ୍ରିୟ ଥିବାରୁ ଗତ କିଛିଦିନ ଧରି ଏଠ‌ାରେ କମ୍ବିଂ ଅପରେସନ ଜାରି ରହିଛି। ସୂଚନା ଥାଉକି ଗତକାଲି ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାରିପଙ୍ଗା ଗ୍ରାମର ଯୁବକ ‌ମେଟଲା ରୋହିତଙ୍କୁ ମାଓବାଦୀ ନିର୍ମମ ହତ୍ୟା କରିଥିଲେ।

Comments are closed.