ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ଓ ମନୋହରପୁର ରେଳ ଷ୍ଟେସନ୍ ମଝିରେ ଥିବା ବିନୁଆଁ ଗ୍ରାମରେ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେବା ପରେ ହାଓ୍ୱଡା-ନାଗପୁର-ମୁମ୍ବାଇ ରେଳପଥରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବିସ୍ଫୋରଣ ସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମଧ୍ୟ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ହିଂସାକାଣ୍ଡ ଯୋଗୁଁ ବିଭିନ୍ନ ଷ୍ଟେସନରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଛି। ଏହାପରେ ସେହି ରୁଟରେ ଚଳାଚଳ କରୁଥିବା କେତେକ ଟ୍ରେନ ମନୋହରପୁର ଠାରେ ଅଟକି ରହିଛି ।
ମିଳିଥିବା ସୂଚନା ଅନୁସାରେ ଯୋଗନଗରୀ ଋଷିକେଶ-ପୁରୀ ଉତ୍କଳ ଏକ୍ସପ୍ରେସ, ପୋରବନ୍ଦର-ଶାଲିମାର ଏକ୍ସପ୍ରେସ, ଜଗଦଲପୁର-ହାଓ୍ୱଡା ଏକ୍ସପ୍ରେସ, ମନୋହରପୁରରେ ଅଟକି ରହିଛି।
ସେହିପରି ଶାଲିମାର-ଏଲଟିଟି ଏକ୍ସପ୍ରେସ ଗୋଏଲକେରା ଷ୍ଟେସନରେ ରହିଛି। ରାଉରକେଲା ଷ୍ଟେସନରେ ପୁଣେ-ହାଓ୍ବଡ଼ା ଏକ୍ସପ୍ରେସ୍, ହାଓ୍ୱଡା-ସିଏସଟି ଏବଂ ହାଓ୍ୱଡା ପୁଣେ ଏକ୍ସପ୍ରେସ ଚକ୍ରଧରପୁରରେ ରହିଛି।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ସିଆରପିଏଫ୍ ଓ ଆରପିଏଫ୍ ଯବାନ ପହଞ୍ଚି ଟ୍ରାକ୍ ଉପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
ରେଳବାଇ ଅଧିକାରୀଙ୍କ କହିବାନୁସାରେ, ଟ୍ରେନକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ। ଟ୍ରାକ୍ ମରାମତି କାମ ସରିବା ପରେ ଆରପିଏଫ୍ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ସେମାନଙ୍କୁ ସେହି ରାସ୍ତାରେ ଚଳାଚଳ କରିବାକୁ ଅନୁମତି ଦିଆଯିବ।
ସୂଚନାଯୋଗ୍ୟ ଯେ, ନିକଟରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନ୍କାଉଣ୍ଟରକୁ ନିନ୍ଦା କରିବା ପାଇଁ ବିଭିନ୍ନ ନିଷିଦ୍ଧ ଘୋଷିତ ମାଓବାଦୀ ବିଦ୍ରୋହୀ ଗୋଷ୍ଠୀ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା (ଭାରତ ବନ୍ଦ) ଦେଇଛନ୍ତି। ନିକଟରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବାର କିଛି ଘଣ୍ଟା ପରେ ମାଓବାଦୀମାନେ ବୁଧବାର ଛତିଶଗଡ଼ ସୁକମାରେ ଏକାଧିକ ଗାଡ଼ି ଜାଳିଦେବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ।
ମାଓବାଦୀମାନେ ଗୋଟିଏ ଯାତ୍ରୀବାହୀ ବସ୍, ଦୁଇଟି ଟ୍ରେଲର୍ ଓ ଗୋଟିଏ ପିକ୍ଅପ୍ ଗାଡ଼ିକୁ ଜାଳି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏହି ଅଗ୍ନିକାଣ୍ଡରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନାହିଁ।
Comments are closed.