Latest Odisha News

BREAKING NEWS

ଉପରାଷ୍ଟ୍ରପତି ନିର୍ବାଚନ: ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମିଳିତ ବିରୋଧୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭା ରବିବାର ତିନି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ଏହି ଉପରାଷ୍ଟ୍ରପତି ପ୍ରାର୍ଥୀ। ତିନି ଥର ସାଂସଦ ହୋଇଥିବା ଅଲଭା ଏବଂ ପୂର୍ବତନ ସାଂସଦ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଫୋନରେ କଥା ହେବାପରେ ଟ୍ୱିଟରରେ ସାର୍ବଜନୀନୀ କରିଛନ୍ତି ସମସ୍ତ କଥା।

ଶ୍ରୀମତୀ ମାର୍ଗାରେଟ ଆଲଭା ରବିବାରଠୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବୋଲି ସୂଚନା ରହିଛି।  ଟ୍ୱିଟ୍ ଜରିଆରେ ହିମନ୍ତ ବିସ୍ୱ ଶର୍ମା କହିଛନ୍ତି, ରବିବାର ସକାଳେ ଆଲଭାଙ୍କ ସହ କଥା ହୋଇଛନ୍ତି। ଆଲଭା ଭୋଟ୍ ଦେବାକୁ ନିବେଦନ କରିଥିଲେ କିନ୍ତୁ ସେ କହିଥିଲେ ଯେ ଇଲେକ୍ଟୋରାଲ କଲେଜର ସେ ସଦସ୍ୟ ନୁହଁନ୍ତି। ଦେଶର ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କର କୌଣସି ଭୂମିକା ନାହିଁ।

ଏହାପରେ ବିଶ୍ୱଶର୍ମାଙ୍କ ଟ୍ୱିଟରେ ଜବାବ ମଧ୍ୟ ଦେଇଛନ୍ତି ଆଲଭା। ସେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ସମସ୍ତ ଦଳର ନେତାଙ୍କୁ ସେ ଫୋନ୍ କରି କଥା ହେଉଛନ୍ତି।  ହିମନ୍ତ ଶର୍ମା ଜଣେ ପୁରୁଣା ସାଙ୍ଗ। ଦୀର୍ଘ ଦିନ ଧରି ଏକାଠି କାମ କରିଛନ୍ତି । ପାଖାପାଖି ୩୦ ବର୍ଷ ହେବ ପରସ୍ପରକୁ ଜାଣିଛନ୍ତି ବୋଲି ଆଲଭା କହିଛନ୍ତି। ଇଲେକ୍ଟୋରାଲ କଲେଜ କେମିତି ତିଆରି ହୁଏ ସେ ଜାଣନ୍ତି। ତେବେ ହିମନ୍ତଙ୍କ ସହ ଆଲୋଚନା ବହୁତ ଭଲ ଥିଲା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦ ମାନେ ଭୋଟ୍ ଦିଅନ୍ତି। ସଂସଦର ଉଭୟ ଗୃହର ସଦସ୍ୟ ହେଉଛନ୍ତି ଇଲେକ୍ଟୋରାଲ କଲେଜର ସଦସ୍ୟ। ରାଜ୍ୟସଭାର ୨୩୩ ଜଣ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଏବଂ ଲୋକସଭାର ୫୪୩ ଜଣ ସଦସ୍ୟ ଇଲେକ୍ଟୋରାଲ କଲେଜର ଅଂଶବିଶେଷ।

ଉପରାଷ୍ଟ୍ରପତି ନିର୍ବାଚନରେ ଆଲଭାଙ୍କ ବିପକ୍ଷରେ ରହିଛନ୍ତି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଅଗଷ୍ଟ ୬ତାରିଖରେ ନିର୍ବାଚନ ହେବାକୁ ଯାଉଛି।

Comments are closed.