Latest Odisha News

BREAKING NEWS

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ ବସିଛି ।

ଢେଙ୍କାନାଳ ପଙ୍ଗାତିରା ଗାଁର ୩୬ ବର୍ଷୀୟ ସତ୍ୟାନନ୍ଦ ନାୟକ । ବିବାହ ପରେ ଦୁଇଟି ସନ୍ତାନର ଜନକ । ଘରେ ସ୍ତ୍ରୀ ଥିଲେ ହେଁ ନାରାୟଣଚନ୍ଦ୍ରପୁର ଗାଁର ତ୍ରିନାଥ ନାଏକଙ୍କ ୨୨ ବର୍ଷୀୟା ଝିଅ ଲିପିକୁ ପ୍ରେମ କରୁଥିଲା । ଅନ୍ୟପଟେ ସତ୍ୟାନନ୍ଦର ବିବାହ ପ୍ରତିଶ୍ରୁତିକୁ ଲିପି ବିଶ୍ୱାସ କରିଥିଲା । ଦୁହେଁ ଆନ୍ଧ୍ରପ୍ରଦେଶର କାକିନାଡା ଅଂଚଳକୁ ଚାଲିଯାଇଥିଲେ ।

ସ୍ତ୍ରୀକୁ ଛାଡପତ୍ର ଦେଇନଥିଲା ସତ୍ୟାନନ୍ଦ । ତଥାପି କାକିନାଡାରେ ଲିପି ୯ ମାସର ଗର୍ଭବତୀ ହୋଇଥିଲା । ତେବେ ଏହି ସଂଜ୍ଞାହୀନ ପ୍ରେମ କାହାଣୀରେ ଏକ ଟୁଇଷ୍ଟ ଆଣିଥିଲା ସତ୍ୟାନନ୍ଦଙ୍କ ବାପାଙ୍କ ମୃତ୍ୟୁ ଘଟଣା । ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ସତ୍ୟାନନ୍ଦ ଓ ଲିପି ଟ୍ରେନ୍ ଯୋଗେ ଗତ ୩ ତାରିଖ ଗୁରୁବାର ଦିନ କାକିନାଡାରୁ ତାଳଚେର ଷ୍ଟେସନରେ ପହଂଚିଥିଲେ । ତାଳଚେର ଷ୍ଟେସନରୁ ପଙ୍ଗାତିରାକୁ ଯିବା ରାସ୍ତାରେ ଗତରେଇ ଜଙ୍ଗଲରେ ଲିପିକୁ ସତ୍ୟାନନ୍ଦ ନିର୍ଘାତ ମାଡ ମାରିଥିଲା । ଏପରିକି ମରଣାନ୍ତକ ଆକ୍ରମଣ କରି ହତ୍ୟା କରିବାକୁ ଚେଷ୍ଟା ବି କରିଥିଲା ।

ସଂଜ୍ଞାହୀନ ଅବସ୍ଥାରେ ଲିପିକୁ ମୃତ ଭାବି ସତ୍ୟାନନ୍ଦ ଘରକୁ ପଳାଇଥିଲା । ତେବେ କୌଣସି ମତେ ଖବର ପାଇ ପୋଲିସ ସଙ୍କଟାପନ୍ନ ଅବସ୍ଥାରେ ଲିପିଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଗର୍ଭ ନଷ୍ଟ ହୋଇଥିଲେ ବି ଲିପିଙ୍କ ଜୀବନ ବଂଚିଯାଇଥିଲା । ଲିପିଙ୍କ ଦୁରାବସ୍ଥା ପଛରେ କାରଣ ସାଜିଥିବା ସତ୍ୟାନନ୍ଦକୁ ଖୋଜିବା ଲାଗି ପରଜଙ୍ଗ ପୋଲିସ ଦିନରାତି ଏକ କରିଦେଇଥିଲା । ଶେଷରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଜି ସତ୍ୟାନନ୍ଦକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.